ଓଡ଼ିଆ ନ୍ୟୁଜ୍: ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ।ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଡ୍ ବ୍ୟବସ୍ଥା। ରାତ୍ର ୧୨ଟାରୁ ଦ୍ୱାର ଫିଟାଯାଇ ଭୋର ୪ଟାରୁ ପଙ୍କୋଦ୍ଧାର କରାଯାଇଛି।ଆଜିଠାରୁ ମହାଶିବରାତ୍ରି ଯାଏଁ ୩ ଦିନ ଧରି ଜଳିବ ଜଗତମଙ୍ଗଳ ଦୀପ।ଶ୍ରଦ୍ଧାଳୁମାନେ ଏହି ଦିନ ଠାକୁରଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ପାର୍ବତୀ ସାଗର କୂଳରେ ଜଳିବ ଜଗତ ମଙ୍ଗଳ ଜାଗର ଦୀପ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିରର ଏଭଳି ପରମ୍ପରା ସାରା ଦେଶରେ ବିରଳ ।
ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ବାବା ଲୋକନାଥଙ୍କ ଶ୍ରୀଲିଙ୍ଗ ବର୍ଷସାରା ପାଣି ଭିତରେ ବୁଡ଼ି ରହିଥାନ୍ତି । ବର୍ଷସାରା ଜଳ ନିର୍ଗମ ହୋଇ ମନ୍ଦିର ଗମ୍ଭିରାକୁ ପରିପୂର୍ଣ୍ଣ କରିଦେଇଥାଏ । ଗର୍ଭଗୃହରୁ ପଙ୍କୋଦ୍ଧାର ଏକାଦଶୀରେ ପଙ୍କୋଦ୍ଧାର ହୋଇଥାଏ । ବର୍ଷସାରା ପ୍ରଭୁଙ୍କ ଲିଙ୍ଗ ଉପରେ ଲାଗି କରାଯାଇଥିବା ଫୁଲ, ବେଲପତ୍ର, ଛାଚି, କଦଳୀ ଓ ଜମି ଯାଇଥିବା ପଙ୍କ ଏହି ଅବସରରେ ବାହାର କରାଯାଇଥାଏ । ସେବାୟତମାନେ ଗମ୍ଭିରାରୁ ପଙ୍କ ଓ ପୂଜା ସାମଗ୍ରୀକୁ ଉଦ୍ଧାର କରିବା ପରେ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିଥାନ୍ତି । ବର୍ଷକରେ ଦିନେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ।