ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍।NHରେ ୫ ଶହ ମିଟର ସ୍କାଏୱାକ୍ ନେଇ NHAI ଆଞ୍ଚଳିକ ଅଫିସ୍ର ସୂଚନା। ପଥଚାରୀଙ୍କ ନିରାପତ୍ତା ପାଇଁ ନିର୍ମାଣ ହେବ ସ୍କାଏୱାକ୍। ରାସ୍ତାରେ ଚାଲୁଥିବା ପଥଚାରୀ ଏବେ ଓଭରବ୍ରିଜରେ ଚାଲିବେ । କାରଣ ତାଙ୍କ ପାଇଁ ନିର୍ମାଣ ହେବ ସ୍କାଏଓ୍ବାକ୍ । ଭୁବନେଶ୍ୱରର ପଳାଶୁଣୀରୁ ରସୁଲଗଡ଼ ପର୍ଯ୍ୟନ୍ତ ୫ଶହ ମିଟର ଦୂରତାକୁ ନେଇ ଏକ ସ୍କାଏଓ୍ବାକ୍ ନିର୍ମାଣ କରିବା ପାଇଁ ଏନଏଚଏଆଇ ନିଷ୍ପତି ନେଇଛି । ଏ ନେଇ ୨୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଆସନ୍ତା ୩ ମାସ ମଧ୍ୟରେ ପ୍ରସ୍ତୁତ ହେବ ଡିପିଆର ଓ ପରେ ଟେଣ୍ଡର ଡକାଯିବ । ତେବେ ପଳାଶୁଣୀରୁ ରସୁଲଗଡ଼ ଜନଗହଳି ଅଞ୍ଚଳରେ ଥିବାବେଳେ ଅନେକ ପଥଚାରି ରାସ୍ତାକଡ଼ରେ ଯାଉଛନ୍ତି । ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି । ତେବେ ପଥଚାରୀଙ୍କ ସୁରକ୍ଷା ପାଇଁ ସ୍କାଏଓ୍ବାକ୍ ନିର୍ମାଣ ହେବ । ଏହାଛଡ଼ା ପଳାଶୁଣୀରେ ଯାନବାହାନକୁ ନେଇ ଅଧିକ ଗହଳି ହେଉଥିବାରୁ ଏଠାରେ ଆଉ ଏକ ବ୍ରିଜ ନିର୍ମାଣ କରିବାକୁ ମଧ୍ୟ ନିଷ୍ପତି ହୋଇଛି । ୨୫ କୋଟି ଟଙ୍କା ବ୍ୟୟବରାଦରେ ୪ ଲେନ୍ ରାସ୍ତାକୁ ୬ ଲେନ୍ କରାଯିବ ବୋଲି ଏନଏଚଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଏନଏଚଏଆଇର ଏହି ନିଷ୍ପତିକୁ ସ୍ୱାଗତ କରିଛନ୍ତି ଲୋକେ ।