ଓଡ଼ିଆ ନ୍ୟୁଜ୍: ଆଜି ଅଶୋକାଷ୍ଟମୀ: ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିବ ଅଣଲେଉଟା ରୁକୁଣା ରଥ। ରଥରେ ଦର୍ଶନ ଦେବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ।
ହରିବୋଲ, ହୁଳହୁଳି ଶବ୍ଦ ସାଙ୍ଗକୁ ପାରମ୍ପରିକ ବାଦ୍ୟ ମୃଦଙ୍ଗ, ଝାଞ୍ଜ, ଢୋଲ, ଭେରି, ତୂରୀର ସୁମଧୁର ଝଙ୍କାର ଏବଂ ଲୋକକଳା, ଲୋକନୃତ୍ୟର ସମାହାରରେ ରଥଦାଣ୍ଡ ପଡ଼ିବ ଉଠିବ । ରଥ ଆଗେ ଚାଲିଥିବ ବିଶାଳ ପଟୁଆର । ତେବେ ସକାଳ ୧୦.୪୫ରେ ପହଣ୍ଡି ହେବା ସହ ଅପରାହ୍ନରେ ସାଢେ ୨ଟାରେ ରଥଟଣା । ସେପଟେ ଠାକୁରଙ୍କ ଏହି ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟସ୍ଥା କରାଯାଇଛି ।
କିଛି ଭକ୍ତ ନାଚୁଥିବେ ତ କିଏ ଆନନ୍ଦାଶ୍ରୁ ଝରାଇ ଚାହିଁ ରହିଥିବା ରଥକୁ। ଖରାକୁ ଖାତିର କରିବେନି ଭକ୍ତ । ଡାହୁକ କୁହାଟ ପକାଉଥିବ ଓ ରଥ ଗଡ଼ୁଥିବ ଆଗକୁ ଆଗକୁ, ରାମେଶ୍ବର ମନ୍ଦିର ଅଭିମୁଖେ । ଏଭଳି ମହାର୍ଘ୍ୟ ମୁହୂର୍ତ୍ତକୁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ମନ୍ଦିର ପ୍ରଶାସନ, ବିଏମ୍ସି ଓ କମିସନରେଟ୍ ପୁଲିସ ପକ୍ଷରୁ ସବୁ ପ୍ରସ୍ତୁତି ସରିଛି । ଆଜି ରାତି ସାରା ରଥଖଳାରେ ଚାଲିବ ଚୂଡ଼ାନ୍ତ ରଥ ପ୍ରସ୍ତୁତି । ରଥ ପ୍ରତିଷ୍ଠା ହେବ, ନେତ ଚଢ଼ିବ। ମଧ୍ୟରାତ୍ର ସୁଦ୍ଧା ରୁକୁଣା ରଥ ପୂରା ପ୍ରସ୍ତୁତ ହୋଇ ଅପେକ୍ଷା କରିବ ଶ୍ରୀଲିଙ୍ଗରାଜଙ୍କୁ କୋଳକୁ ନେବା ପାଇଁ ।