ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ହାଇକୋର୍ଟ ନିଜ ଆଡୁ ରୁଜୁ କରିଥିବା ମାମଲାରେ କୋର୍ଟ ମିତ୍ର ମୋହିତ ଅଗ୍ରୱାଲଙ୍କ ଦାଖଲ ରିପୋର୍ଟ ଉପରେ ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମେରାଇନ ଥାନାରେ ପୋଲିସ ପଦବି କେବେ ସୁଦ୍ଧା ପୂରଣ ହେବ?ବୋଟ ମାନଙ୍କରେ ଟ୍ରାନ୍ସପେଣ୍ଡର କେବେ ସୁଦ୍ଧା ଲାଗିବ? ସେ ନେଇ ନିର୍ଦ୍ଧିଷ୍ଟ ତାରିଖ ସମ୍ପର୍କରେ ଅବଗତ କରାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୧୨ରେ କରିବା ପାଇଁ ଅଦାଲତ ଧାର୍ଯ୍ୟ କରିଛନ୍ତି।ତେବେ ଆଜି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ କରଯାଇଥିଲା। ପୋଲିସ ମୁଖ୍ୟାଳୟ ଅତିରିକ୍ତ ଏସପି ସୁବୋଧ ମଲ୍ଲିକ ସତ୍ୟପାଠ ଦାଖଲ କରିଥିଲେ। ଅସ୍ତରଙ୍ଗ ମାରାଇନ ପୋଲିସ ୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅସ୍ତରଙ୍ଗ ନଦୀ ମୁହାଣ ନିଷେଧାଞ୍ଚଳରେ ମାଛ ଧରା ବନ୍ଦ ନେଇ ପଦକ୍ଷେପ ନିଆଯାଇଛି; ମେରାଇନ ଥାନାରେ ପୋଲିସ ପଦବି ପୂରଣ ନେଇ ପ୍ରକ୍ରିୟା ଚାଲିଛି ବୋଲି ଦର୍ଶାଇଛନ୍ତି।
ସେହିପରି ମତ୍ସ୍ୟ ନିର୍ଦେଶାଳୟ ଉପ ନିର୍ଦେଶକ ବସନ୍ତ ଦାଶ ସତ୍ୟପାଠ ଦାଖଲ କରିଥିଲେ। କୋର୍ଟ ମିତ୍ର ମୋହିତ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ଅଲିଭ ରିଡଲେ କଇଁଛଙ୍କ ପ୍ରସଙ୍ଗରେ ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏଥିରେ ୨୦୨୧ ଜାନୁଆରି ମାସରୁ ୮ଶହ ଅଲିଭ ରିଡଲେ କଇଁଛଙ୍କ ଓଡ଼ିଶା ଉପକୂଳରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଥିଲା। ମାଛମରା ଜାଲରେ ପଡି ଶହ ଶହ କଇଁଛଙ୍କ ମୃତ୍ୟୁ ହେଉଛି।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସହିତ ଋଷିକୂଲ୍ୟା ଉପକୂଳରେ ପ୍ଲାଷ୍ଟିକ୍, ପଲିଥିନ୍ ଓ ଅବର୍ଜନା ବିକ୍ଷିପ୍ତ ହୋଇ ପଡି ରହିଛି। ଏହା ସାମୁଦ୍ରିକ କଇଁଛଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ସମୁଦ୍ର ଉପକୂଳରେ କଇଁଛଙ୍କ ମୃତ ଦେହରୁ ଦୁର୍ଗନ୍ଧ ନିର୍ଗତ ହେଉଛି। ଏହା ପର୍ଯ୍ୟଟକଙ୍କୁ ଦୂରେଇ ଦେଉଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ଏହାକୁ ନେଇ ହାଇକୋର୍ଟ ନିଜ ଆଡୁ ମାମଲା ରୁଜୁ କରିଥିଲେ।