ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ପଦଯାତ୍ରା ପାଇଁ ଅନୁମତି ନମିଳିବାରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶ୍ରୀମନ୍ଦିର ଦର୍ଶନ କରି ଫେରିଛନ୍ତି। ପୂର୍ବାହ୍ନରେ ସାଂସଦ ଷଡ଼ଙ୍ଗୀ ପ୍ରାୟ ୨୦ ଟି ଗାଡ଼ିରେ ତାଙ୍କ ସମର୍ଥକଙ୍କ ସହ ପୁରୀରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଚନ୍ଦନପୁର ଥାନା ଅନ୍ତର୍ଗତ କାଠପୋଲ ନିକଟରେ ପୋଲିସ ତାଙ୍କୁ ଅଟକାଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ, ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ତାଙ୍କୁ କେବଳ ଦୁଇଟି ଗାଡି ଶ୍ରୀମନ୍ଦିର ନିକଟକୁ ନେଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ କହିଥିଲେ। ସାଂସଦ ତାଙ୍କୁ ଅଟକାଯାଇଥିବା ପ୍ରତିବାଦରେ କାଠପୋଲ ଠାରୁ ଚାଲି ଚାଲି ମାଳତୀପାଟପୁର ପର୍ଯ୍ୟନ୍ତ ଆସିଥିଲେ।

ପରେ ସେ ଗାଡ଼ିରେ କିଛି ସମର୍ଥକ ଙ୍କ ସହ ବସି ବଡ଼ଦାଣ୍ଡରେ ପ୍ରବେଶ କରିଥିଲେ। ବଡଦାଣ୍ଡରୁ କିଛି ବାଟ ଚାଲି ସାଂସଦ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସାଂସଦ ଙ୍କୁ ବିରୋଧ କରିବା ଆଶଙ୍କା କରି ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଜଣେ କର୍ମୀ ସାଂସଦଙ୍କୁ ଟମାଟୋ ମାଡ କରିଥିଲେ। ସାଂସଦ ଅପରାଜିତା ଆଇନକୁ ସମ୍ମାନ ଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସାଥିଲେ। କୈଣସି ପଦଯାତ୍ରା ହୋଇନଥିବା ସେ କହିଛନ୍ତି।
ଅନ୍ୟପଟେ ଶ୍ରୀମନ୍ଦିରର ଅନେକ ସେବାୟତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଅପରାଜିତା ରାଜନୀତି କରିଥିବାରୁ ଏହାର ଦୃଢ ବିରୋଧ କରିଥିଲେ। ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ଆବଶ୍ୟକ ବୋଲି ସେବାୟତ ମାନଙ୍କ ପକ୍ଷରୁ ମତ ପ୍ରକାଶ ପାଇଥିବା ବେଳେ ଏହାକୁ ସାଂସଦ ରାଜନୀତିକରଣ ନକରନ୍ତୁ ବୋଲି ମତ ଦେଇଥିଲେ। ଏପଟେ ଅପରାଜିତା ଆଇନ ଭଙ୍ଗ କରି ପଦଯାତ୍ରା କରିଥିବାରୁ ଏହାକୁ ବିରୋଧ କରି ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି।