ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଗତ ଜାନୁୟାରୀ ୨୦୨୦ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ଇଣ୍ଡିଆନ ଚାମ୍ବର ଅଫ କମର୍ସର ୱିମେନ୍ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍ସିଲ୍ ଇତି ମଧ୍ୟରେ ଶତାଧିକ ମହିଳା ସଦସ୍ୟ ସଂଖ୍ୟାର ମାଇଲଖୁଣ୍ଟ ଅତିକ୍ରମ କରିସାରିଛି । ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶା, ଭାରତର ଏକ ସକ୍ରିୟ ମହିଳା ଉଦ୍ୟୋଗୀ ସଂଗଠନ । ଆଇ.ଡ଼ବ୍ଲୁ.ଇ.ସି ଓଡ଼ିଶାର ଅଭୂତପୂର୍ବ ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଭାରତର ଅନ୍ୟାନ୍ୟ ରାଜ୍ୟ ମାନଙ୍କର ମଧ୍ୟ ଏହାର ଶାଖା ଖୋଲିବା ସହ ଜାତୀୟ ସ୍ତରରେ ନ୍ୟାସନାଲ ଆଇ.ଡ଼ବ୍ଲୁ.ଇ.ସି ଏକ ପାଞ୍ଚ ଦିନିଆ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ପ୍ରଥମ ଥର ପାଇଁ ମହିଳାଙ୍କ ବ୍ୟବସାୟ ମେଳା ପରି ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି ।
ଉକ୍ତ କାର୍ଯ୍ୟକ୍ରମରେ ଜନତା ମଇଦାନଠାରେ ଶତାଧିକ ମହିଳା ବ୍ୟବସାୟୀ ନିଜର ଷ୍ଟଲ ମାଧ୍ୟମରେ ନିଜ ବ୍ୟବସାୟକୁ ବୃଦ୍ଧି ତଥା ପ୍ରଚାର ପ୍ରସାର କରିବା ନିମନ୍ତେ ସୁଯୋଗ ପାଇବେ । ଏହାଛଡ଼ା ଅନ୍ୟାନ୍ୟ କନ୍ଫରେନ୍ସ, ସେମିନାର ୱାର୍କସପ୍, ଟକ୍ ସୋ, ନିବେଶକ କାର୍ଯ୍ୟକ୍ରମ, ଅତି କ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗୀୟ ଯୋଜନା ଆର୍ଥିକ ଶିକ୍ଷା ତଥା ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଯୋଜନା ରହିଛି । ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ମହିଳା ଉଦ୍ୟୋଗୀ ମାନଙ୍କ ପ୍ରଚାର କରିବା ସହ ଆଗାମୀ ଦିନରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ମହିଳା, ଶିଶୁ ଓ ପରିବାରବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରେରଣାଦାୟୀ ଉତ୍ସବ ଭାବେ ଅଭିହିତ ହେବ । ଉକ୍ତ କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ଭାରତ ସରକାର, ଓଡ଼ିଶା ସରକାରଙ୍କ ଦ୍ୱାରା ନାନା ଖବର ପରିବେଶଷଣ ସଂସ୍ଥା ଦ୍ୱାରା ପ୍ରସାରିତ ହେବ । ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେବା ସହ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷୀ ଲାଲ ଉଦ୍ଯାପନୀ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ (ଅଧ୍ୟକ୍ଷ, ଓଡ଼ିଶା ଦକ୍ଷତା ବୃଦ୍ଧି ଏବଂ ମାଇଣ୍ଡ ଟ୍ରିର ପ୍ରତିଷ୍ଠାତା), ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ (ଲୋକସଭା ସଦସ୍ୟ, ପ୍ରତିଷ୍ଠାତା, କୀଟ୍ ବିଶ୍ୱବିଦ୍ୟାଳୟ) ଶ୍ରୀଯୁକ୍ତ ସୁଜିତ୍ କୁମାର (ଲୋକସଭା ସଦସ୍ୟ, କଳିଙ୍ଗ କୁସୁମ ଫାଉଣ୍ଡସେନର ପ୍ରତିଷ୍ଠାତା), ଅଭିନେତ୍ରୀ ଲାରା ଦତ୍ତ, ଅଭିନେତା ଅର୍ଜୁନ ରାମପାଲ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଇମତିଆଜ ଅଲି, ପ୍ରେରଣାଦାୟୀ କଥାକାର ଗୌରାଙ୍ଗ ଦାସ ପ୍ରଭୁ, ଲ୍ୟୁକ୍ କୌଟିଂହୋ ଏବଂ ସମୀର ପୁରୋହିତଙ୍କ ପରି ଜୀବନଶୈଳୀ ପ୍ରଶିକ୍ଷକ ଏବଂ ସେଲିବ୍ରିଟି ଫଟୋଗ୍ରାଫର ବିକ୍ରମ ବାୱା ଆଦି ଯୋଗ ଦେବା ନିମନ୍ତେ ସ୍ୱୀକୃତି ପ୍ରଦାନ କରିଛନ୍ତି ।
ଏ ନେଇ ଏକ ସ୍ୱତନ୍ତ୍ର ପ୍ରେସ୍ ମିଟ୍ ମାଧ୍ୟମରେ ଆଇ.ଡ଼ବ୍ଲୁ.ଇ.ସି ର ଉଦ୍ୟୋକ୍ତା ସୁକୀର୍ତ୍ତୀ ପଟ୍ଟନାୟକ, ଉପ-ଉଦ୍ୟୋକ୍ତା ତନୟା ପଟ୍ଟନାୟକ, ଆଇ.ସି.ସି ର ଅଧ୍ୟକ୍ଷ ଜେ.ବି ପାଣି ଓ ଉପଅଧ୍ୟକ୍ଷ ଶ୍ରୀ ମହେନ୍ଦ୍ର ଗୁପ୍ତା ପ୍ରମୁଖ ସୂଚନା ଦେଇଛନ୍ତି ।