‘ସଂକଳ୍ପ: ନିଶାମୁକ୍ତ ବୌଦ୍ଧ’ ଅଭିଯାନକୁ ଗୁରୁତ୍ୱ, ଏସ୍‌ପିଙ୍କ ନେତୃତ୍ୱରେ ଗଞ୍ଜେଇ ବିରୋଧୀ କାର୍ଯ୍ୟାନୁଷ୍ଠାନ ଜୋରଦାର

0

ବୌଦ୍ଧ:ଜିଲ୍ଲାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ବୌଦ୍ଧ ପୁଲିସ ପକ୍ଷରୁ ‘ସଂକଳ୍ପ: ନିଶାମୁକ୍ତ ବୌଦ୍ଧ’ ଅଭିଯାନକୁ ଜୋରଦାର କରାଯାଇଛି। ଏସ୍‌ପିଙ୍କ ନେତୃତ୍ୱରେ ଗଞ୍ଜେଇ ଚାଷ, ଚୋରା ଚାଲାଣ ଓ ବେଆଇନ ନିଶା କାରବାର ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପୂର୍ବରୁ ‘ଅପରେସନ୍ ଦହନ’ ମାଧ୍ୟମରେ ନିଶାଦ୍ରବ୍ୟ ବିରୋଧୀ ଅଭିଯାନ ଚାଲିଥିବା ବେଳେ, ବର୍ତ୍ତମାନ ‘ସଂକଳ୍ପ: ନିଶାମୁକ୍ତ ବୌଦ୍ଧ’ ଅଭିଯାନ ଜରିଆରେ ଜିଲ୍ଲାକୁ ନିଶାମୁକ୍ତ କରିବା ଦିଗରେ ପୁଲିସ ଗୁରୁତ୍ୱ ଦେଉଛି।

ଏହି ଅଭିଯାନରେ ୨୦୨୬ ମସିହାରେ ଏଯାବତ୍ ବୌଦ୍ଧ ଜିଲ୍ଲାରେ ୫୩ ଟନ୍‌ରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି ଏବଂ ଏହି ସମ୍ପର୍କିତ ମାମଲାରେ ୧୭୩ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ‘ଅପରେସନ୍ ଦହନ’ ଅଧୀନରେ ଜବତ ହୋଇଥିବା ୮୩,୭୯୦ କିଲୋଗ୍ରାମ ଗଞ୍ଜେଇ ନଷ୍ଟ କରାଯାଇଛି।

ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳ ଚିହ୍ନଟ କରିବା, ବେଆଇନ ଚାଷ ନଷ୍ଟ କରିବା, ନିଶାଦ୍ରବ୍ୟର ଚୋରା ଚାଲାଣ ରୋକିବା ଏବଂ ଏହି କାରବାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବା ଉପରେ ପୁଲିସ ଗୁରୁତ୍ୱ ଦେଉଛି।

‘ସଂକଳ୍ପ: ନିଶାମୁକ୍ତ ବୌଦ୍ଧ’ ଅଭିଯାନ ମାଧ୍ୟମରେ ଜିଲ୍ଲାରେ ନିଶା କାରବାର ନିୟନ୍ତ୍ରଣ କରିବା ସହ ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ଦୂରେଇ ରଖିବା ଏବଂ ଏକ ସୁସ୍ଥ, ସଚେତନ ଓ ନିଶାମୁକ୍ତ ସମାଜ ଗଠନ କରିବା ଦିଗରେ ପୁଲିସର ପ୍ରୟାସ ଜାରି ରହିଛି। ଏହି ଅଭିଯାନକୁ ସଫଳ କରିବାରେ ଜନସହଯୋଗ ଓ ସଚେତନତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.