ଖଣି ମାଲିକ ଜିତେନ୍ଦ୍ର ପଟ୍ଟନାୟକ ଘରେ ଇଡିର ଚଢ଼ାଉ, ଜାଲ୍ କାଗଜ ପତ୍ର ଦେଇ ସରକାରଙ୍କ ଠାରୁ ଠକିଛନ୍ତି କୋଟି କୋଟି ଟଙ୍କା

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଖଣି ମାଲିକ ଜିତେନ୍ଦ୍ର ପଟ୍ଟନାୟକ ଓରଫ ଜିତୁ ପଟ୍ଟନାୟକ ଘରେ ଇଡିର ଚଢ଼ାଉ। ଯୋଡ଼ାରେ ୨ ଜାଗା, ଭୁବନେଶ୍ୱରର ୨ ଜାଗାରେ ଏକ କାଳୀନ ଚଢ଼ାଉ ଚାଲିଛି। ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଛି ରେଡ୍।ଜିତେନ୍ଦ୍ର ନାଥ ପଟ୍ଟନାୟକଙ୍କ ବାପା ସ୍ବର୍ଗତ ବଂଶୀଧର ପଟ୍ଟନାୟକଙ୍କୁ ୨୬୦ ଏକର ମାଇନିଂ ଲିଜ ଅକାରରେ ଦିଆଯାଇ ଥିଲା। ମାଙ୍ଗାନିଜ ଖଣିକୁ ୨୦ ବର୍ଷ ପାଇଁ ଲିଜ ଦିଆଯାଇଥିବା ବେଳେ ଆଇରନ ଓରକୁ ୩୦ ବର୍ଷ ପାଇଁ ଲିଜ ଦିଆଯାଇଥିଲା। ଲିଜ ପ୍ରକ୍ରିୟା ୧୯୫୯ ମସିହାରେ ଆରମ୍ଭ ହୋଇଥିଲା। କିନ୍ତୁ ବଂଶୀଧର ପଟ୍ଟନାୟକ ମାଙ୍ଗାନିଜ ଖଣିକୁ ସରେଣ୍ଡର କରିଥିଲେ । କିନ୍ତୁ ଲୁହା ଖଣିର ଲିଜ ନିଜ ହାତରେ ରଖିଥିଲେ। ଲୁହା ଖଣିର ଲିଜ ପାଇଁ ୧୯୮୮ରେ ଆବେଦନ କରିଥିଲେ ।ହେଲେ ଜଙ୍ଗଲ ଅଞ୍ଚଳରେ ଥିବାରୁ ଫରେଷ୍ଟ କ୍ଲିଅରାନ୍ସ ଦେଇ ନଥିବାରୁ ତାଙ୍କୁ ରିନୂଆଲ ହୋଇନଥିଲା ହେଲେ ନିୟମ 24a ଅନୁଯାୟୀ ତାଙ୍କୁ ଆହୁରି ୧ ବର୍ଷ ଅନୁମତି ଦିଆ ଯାଇଥିଲା।

ପରେ ଜିତୁ ପଟ୍ଟନାୟକ ତାଙ୍କ ବାପା ବଂଶୀଧର ପଟ୍ଟନାୟକଙ୍କ ନାମରେ ଲିଜ ଅବଧି ବଢାଇବା ପାଇଁ ଆବେଦନ କରିଥିଲେ। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ବିନା ଅନୁମତିରେ ରାଜ୍ୟ ସରକାର ତାଙ୍କୁ ୧୯୯୪ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଲିଜ ଦିଆ ଯାଇଥିଲା। ପରବର୍ତ୍ତୀ ସମୟରେ ଜିତୁ ପଟ୍ଟନାୟକ ଅନେକ ଜାଲ ଦସ୍ତାବିଜ ଦେଇ ୨୦ ବର୍ଷ ଲିଜ ପାଇଁ ଆବେଦନ କରିଥିଲେ। ଜିତେନ୍ଦ୍ର ନାଥ ପଟ୍ଟନାୟକ ୧୯୯୯ ରୁ ୨୦୦୯ ପର୍ଯ୍ୟନ୍ତ ବେଆଇନ ଖଣି କାରବାର କରିଥିଲେ ଯାହା ଫଳରେ କି ରାଜ୍ୟ ସରକାର ଙ୍କୁ ୧୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା। ଏନେଇ ଭିଜିଲାନ୍ସ୨୦୦୯ ମସିହାରେ ଏଫଆଇଆର କରିବା ସହ ୨୦୧୩ରେ ଚାର୍ଜସିଟ ଦାଖଲ କରିଥିଲା। ଏବେ ସେହି ବେଆଇନ ଖଣି ଖନନ ଏବଂ ଅର୍ଥ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏକ କାଳୀନ ଭୁବନେଶ୍ୱର ଏବଂ ଯୋଡ଼ାରେ ରେଡ଼ କରିଛି। ସକାଳ ୮ ଟାରୁ ED ର ଟିମ ଯୋଡ଼ାର ୨ଟି ଜାଗା ଓ ଭୁବନେଶ୍ୱରର ୨ଟି ସ୍ଥାନରେ ଚଢ଼ାଉ କରୁଛି। ବେଆଇନ ଖଣି ଖନନରେ ଆର୍ଥିକ ହେରଫେର ମାମଲାରେ ଚାଲିଛି ଚଢ଼ାଉ।

Leave A Reply

Your email address will not be published.