ଓଡିଆ ନ୍ୟୁଜ୍(ବ୍ୟୁରୋ): ଯୋଦ୍ଧା ତୟାର । ପ୍ରଚାରରେ କମ୍ପିବ ମଇଦାନ । ପ୍ରାର୍ଥୀଙ୍କ ସହ ନିର୍ବାଚମଣ୍ଡଳୀ ବୁଲିବେ ମାଳମାଳ ନେତା, ମନ୍ତ୍ରୀ । ବିରୋଧୀଙ୍କୁ ଚକମା ଦେବା ପାଇଁ ବିଜେଡି ପ୍ରସ୍ତୁତ । ଉପ ନିର୍ବାଚନକୁ ନେଇ ଗେମପ୍ଲାନ। ପ୍ରଚାରର ମଙ୍ଗ ଧରିବେ ହେଭିୱେଟ୍ ନେତା। ୩୮ ପଞ୍ଚାୟତରୁ କିଏ କେଉଁ ପଞ୍ଚାୟତ ଦାୟିତ୍ୱରେ ରହିବେ ତାର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ଦଳ । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ସୁଶାନ୍ତ ସିଂ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ନିର୍ବାଚନ ପରିଚାଳନାର ତଦାରଖ କରିବେ । ଦୁଇଟି ଲେଖାଏ ପଞ୍ଚାୟତକୁ ଜଣେ ଲେଖାଏଁ ମନ୍ତ୍ରୀ, ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି। ଉପକୂଳ ଓଡ଼ିଶାରୁ ମନ୍ତ୍ରୀ ଅରୁଣ ସାହୁ, ସମୀର ରଞ୍ଜନ ଦାସ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡାଇ ପ୍ରମୁଖଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ସେହିପରି ପଶ୍ଚିମଓଡ଼ିଶାରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ବିଧାୟକ ସାରଦା ନାୟକ, ପୁଷ୍ପେନ୍ଦ୍ର ସିଂହଦେଓ, ଦେବେଶ ଆଚାର୍ଯ୍ୟ ଓ ସେହ୍ନାଙ୍ଗିନୀ ଛୁରିଆ ପ୍ରମୁଖଙ୍କୁ ଅଧିକ ଦାୟିତ୍ୱ ଦିଆଯାଇଛି। ଏହା ବାଦ୍ ପ୍ରତ୍ୟେକ ପଞ୍ଚାୟତରେ ଦଳର ଯୁବ ଓ ଛାତ୍ର ନେତା ଦାୟିତ୍ୱରେ ରହିବେ।
ଆଜି କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଗଣ୍ଡଘୋରା ଗାଁ ମୁଲଗୁଡ଼ି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମଇଦାନକୁ ଓହ୍ଲାଇଛନ୍ତି । କଂଗ୍ରେସର ୯ ଜଣ ବିଧାୟକ ଉପନିର୍ବାଚନ ପ୍ରଚାରରେ ସାମିଲ ହେବେ । ଏହାସହ ପଡ଼ୋଶୀ ଛତିଶଗଡ଼ରୁ କଂଗ୍ରେସର ନେତା ଓ ମନ୍ତ୍ରୀ ପ୍ରଚାର ପାଇଁ ଆସିବେ । ବିଜେପି ମଧ୍ୟ ଉପନିର୍ବାଚନରେ ଦମ୍ ଦେଖାଇବା ପାଇଁ ପ୍ରସ୍ତୁତ କରିଛି ରଣନୀତି । କେନ୍ଦ୍ରମନ୍ତ୍ରୀ ପ୍ରଚାରରେ ସାମିଲ ହେବେ । ଏହାସହ ଛତିଶଗଡ଼ର ବିଜେପି ନେତା ଦଳୀୟ ପ୍ରାର୍ଥୀ ରାଧାରାଣୀଙ୍କ ପାଇଁ ଭୋଟ୍ ମାଗିବେ ।
ପୂର୍ବରୁ ଝାରସୁଗୁଡ଼ାରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଥିଲେ ନବ କିଶୋର ଦାସ ଓ କିଶୋର ମହାନ୍ତି । ପରେ ନବ କଂଗ୍ରେସ ଛାଡ଼ି ବିଜେଡିର ସାମିଲ ହୋଇଥିଲେ । ଆଉ ଏବେ ବଦଳିଛି ରାଜନୈତିକ ଚିତ୍ର। ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କୁ ଜିତାଇବା ପାଇଁ କମର କଷିଛନ୍ତି ବିଜେଡି ନେତାମନ୍ତ୍ରୀ ।