ଓଡିଆ ନ୍ୟୁଜ୍(ବ୍ୟୁରୋ): ଆଣ୍ଡାମାନ ଛୁଇଁଲା ମୌସୁମୀ । ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଆଣ୍ଡାମାନ ସାଗର ଅଞ୍ଚଳକୁ ଅଗ୍ରସର ହୋଇଛି । ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି । ଆସନ୍ତା ୨୭ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହୋଇଯିବ । ଯଦି ସବୁ ଠିକଠାକ ରୁହେ ଜୁନ୍ ୬ କିମ୍ବା ୭ରେ ଓଡ଼ିଶା ମୌସୁମୀର ପ୍ରଥମ ସ୍ପର୍ଶ ପାଇବ । ଏବର୍ଷ ମୌସୁମୀ ବାୟୁ ଭାରତରେ ସଅଳ ପ୍ରବେଶ କରିଛି ।
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା, ଏବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଭାରତରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରତିବର୍ଷ ମୌସୁମୀ ପ୍ରାୟତଃ ଜୁନ୍ ୧ ତାରିଖରେ କେରଳ ଉପକୂଳ ଛୁଇଁଥାଏ । ଏବର୍ଷ ଆଗୁଆ ଆସିବା ସମ୍ଭାବନା ରହିଛି । ଆଇଏମଡି ପୂର୍ବାନୁମାନ କରିଥିଲା, ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ଲଙ୍ଗ ପରିୟଡ୍ ଆଭରେଜ ବର୍ଷା ପରିମାଣ ୯୯ ପ୍ରତିଶତ ଆକଳନ କରାଯାଇଛି ।