ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍): ଆଇପିଏଲ-୨୦୨୨ ଖେଳିସାରିବା ପରେ ଭାରତୀୟ ଦଳ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ ଟି-୨୦ ସିରିଜ୍ । ଏହି ଟି-୨୦ ଜୁନ ୯ରୁ ଆରମ୍ଭ ହେବା ସହ ପାଞ୍ଚଟି ମ୍ୟାଚ୍ ଖେଳାଯିବ। ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଟି-୨୦ ସିରିଜ୍ ଖେଳିବେ ନାହିଁ। ଇଂଲଣ୍ଡ ଗସ୍ତ, ଏସିଆ କପ୍ ଏବଂ ଟି-୨୦ ବିଶ୍ଵ କପକୁ ଦୃଷ୍ଟିରେ ରଖି ଦଳର ପ୍ରମୁଖ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ବିଚାର କରୁଛନ୍ତି ଚୟନକର୍ତ୍ତା । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ରେ ଦଳର ନେତୃତ୍ଵ କିଏ ନେବ ସେନେଇ ସନ୍ଦିହାନ ସୃଷ୍ଟି ହୋଇଛି ।
ଆଇପିଏଲ ୨୦୨୨ ପରେ ଦଳର ଅଧିନାୟକ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି, ଉପ ଅଧିନାୟକ ଲୋକେଶ ରାହୁଲ, ଋଷଭ ପନ୍ତ, ମହମ୍ମଦ ଶାମି ଏବଂ ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଇପାରେ। ତେଣୁ ଦଳର ଅଧିନାୟକ ଦାୟିତ୍ଵ କିଏ ସମ୍ଭାଳିବ ତାର ଉତ୍ତର ଖୋଜି ସାରିଛନ୍ତି ଦଳ ପ୍ରବନ୍ଧକ ଏବଂ ଚୟନକର୍ତ୍ତା। କ୍ରିକବଜର ରିପୋର୍ଟ ଅନୁଯାୟୀ, ଶିଖର ଧାଓ୍ଵନଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ଦଳର ଅଧିନାୟକ କରାଯାଇପାରେ। ପୂର୍ବରୁ ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଦଳର ନେତୃତ୍ଵ ନେଇଥିଲେ ଶିଖର ଧାଓ୍ଵନ।