ଓଡ଼ିଆ ନ୍ୟୁଜ୍: ଭେନେଜୁଏଲା ରାଜଧାନୀ କାରାକାସ୍ରେ ଭୟଙ୍କର ବିସ୍ଫୋରଣ। ୭ଟି ବଡ଼ ବିସ୍ଫୋରଣରେ ଥରିଲା କାରାକାସ୍ ସହର। ଆମେରିକା ପକ୍ଷରୁ ଏୟାର ଷ୍ଟ୍ରାଇକ୍ କରାଯାଇଥିବା ଆଶଙ୍କା। ଭେନେଜୁଏଲା ସାମରିକ ଘାଟିକୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ୍। ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କଲେ ଭେନେଜୁଏଲା ରାଷ୍ଟ୍ରପତି।ଏୟାର ଷ୍ଟ୍ରାଇକ୍ ନେଇ ଆମେରିକା ପକ୍ଷରୁ ବିବୃତି ଜାରି କରାଯାଇ ନାହିଁ। ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ, ଭେନେଜୁଏଲାର ରାଜଧାନୀ କାରାକାସରେ ଅତି କମରେ ସାତଟି ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା । ସହର ସାରା ଧୂଆଁ ଧୂଆଁ ହୋଇଯାଇଥିଲା । ସ୍କାଇ ନ୍ୟୁଜ୍ ଆରାବିଆ ଦାବି କରିଛି ଯେ ଭେନେଜୁଏଲାର ପ୍ରତିରକ୍ଷା ମନ୍ତ୍ରୀଙ୍କ ଘର ଏବଂ ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇଛି ।
ବିସ୍ଫୋରଣ ପରେ, କାରାକାସର ଅନେକ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଛି । ଅନେକ ବିମାନ ଆକାଶରେ ଉଡ଼ୁଥିବାର ଦେଖାଯାଇଥିଲା । ଭେନେଜୁଏଲା ସରକାର ଏହି ଘଟଣା ଉପରେ କୌଣସି ମନ୍ତବ୍ୟ ଦେଇନାହାନ୍ତି । ବିସ୍ଫୋରଣ ଶୁଣି ସହରର ବିଭିନ୍ନ ଅଞ୍ଚଳର ଲୋକମାନେ ଘରୁ ବାହାରି ରାସ୍ତାକୁ ଓହ୍ଲାଇ ଆସିଥିଲେ । କାରାକାସର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳିଥିଲା । ଆମେରିକା ଏବଂ ଭେନେଜୁଏଲା ମଧ୍ୟରେ ଉତ୍ତେଜନା ଲଗାତାର ବୃଦ୍ଧି ପାଉଛି । ଟ୍ରମ୍ପ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ଯେ ଭେନେଜୁଏଲା ବିରୁଦ୍ଧରେ ଆକ୍ରମଣ କରିବେ । ଏହା ସହିତ ଆମେରିକା ସେନା କାରିବିଆନ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ଡ୍ରଗ୍ସ ଚାଲାଣ ଅଭିଯୋଗରେ ଭେନେଜୁଏଲାର ଅନେକ ଡଙ୍ଗା ଉପରେ ଆକ୍ରମଣ କରିଛି । ଆମେରିକୀୟ ସେନା ଅନୁଯାୟୀ, ଏହି ସାମୁଦ୍ରିକ ଅଭିଯାନରେ ଏପର୍ଯ୍ୟନ୍ତ ଅତି କମରେ ୩୦ଟି ଆକ୍ରମଣରେ ୧୦୭ ଜଣଙ୍କର ମୃତ୍ୟୁ ହୋଇଛି ।