ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍ଡିଏ)ର ନୂଆ ଅଧ୍ୟକ୍ଷ ହେଲେ ୱାଲର୍ଡ ସ୍କିଲ ସେଂଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅଳକା ଅରୋରା ମିଶ୍ର। ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚୀ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ଅଳକା ଅରୋରା ମିଶ୍ରଙ୍କୁ ନୂଆ ନିଯୁକ୍ତି ମିଳିଛି। ଏନେଇ ଶ୍ରୀ ବାଗଚୀ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତେବେ ବାଗ୍ଚୀ ଟ୍ବିଟ୍ରେ କହିଛନ୍ତି, ‘ଓଏସ୍ଡିଏ’ରେ ୭ବର୍ଷ ଧରି ଅଧ୍ୟକ୍ଷ ପଦରେ ରହିବା ପରେ ନିଜର ବ୍ୟକ୍ତିଗତ କାରଣରୁ ପଦ ଛାଡୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛି। ମୋ କାର୍ଯ୍ୟକାଳରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହଯୋଗ ଓ ସମର୍ଥନ ମିଳିଛି । ସେହିପରି ଓଡ଼ିଶାବାସୀ ଢ଼େର ଭଲବା ଦେଇଛନ୍ତି। ଏଥି ସହିତ ଶ୍ରୀ ବାଗ୍ଚୀ ନୂଆ ଅଧ୍ୟକ୍ଷ ଶ୍ରୀମତୀ ମିଶ୍ରଙ୍କୁ ସ୍ବାଗତ ଜଣାଇଛନ୍ତି।
ସୂଚନାଯୋଗ୍ୟ, ସୁବ୍ରତ ବାଗ୍ଚୀ ନିଜ ପଦବିରୁ ଇସ୍ତଫା ଦେଲା ପରେ ରାଜ୍ୟ ସରକାର ପୂର୍ବତନ ଆଇଆରପିଏସ୍ ଅଫିସର ଅଳକା ଅରୋରା ମିଶ୍ରଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀମତୀ ମିଶ୍ର ଏବେ ୱାଲର୍ଡ ସ୍କିଲ ସେଂଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ରାଜ୍ୟ ସରକାର ତାଙ୍କୁ ଗତ ୨୦୨୨ ଅକ୍ଟୋବର ମାସରେ ଏହି ନିଯୁକ୍ତି ଦେଇଥିଲେ।