ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି କିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି ହୋଇଛି। ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ମାମଲାରେ ଇସ୍ଲାମାବାଦର ଏକ ଅଦାଲତ ଇମ୍ରାନ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ପାକିସ୍ତାନୀ ଖବରକାଗଜ ଡନର ରିପୋର୍ଟ ଅନୁସାରେ, ଇସଲାମାବାଦର ଜୁଡିସିଆଲ ମାଜିଷ୍ଟ୍ରେଟ ମଲିକ ଅମନ ଏହି ମାମଲାର ଶୁଣାଣି ସମୟରେ ଇମ୍ରାନଙ୍କ ଓକିଲ ବ୍ୟକ୍ତିଗତ ହାଜରରୁ ମୁକ୍ତି ପାଇଁ ଦାଖଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ମାର୍ଚ୍ଚ ୩୦ତାରିଖରେ ଇମ୍ରାନ କୋର୍ଟ ନିକଟରେ ହାଜର ହେବା ପାଇଁ ନିଜ ଓକିଲଙ୍କ ଜରିଆରେ ଅନୁମତି ମାଗିଥିଲେ ବି କୋର୍ଟ ସେହି ଆବେଦନକୁ ଖାରଜ କରିଦେଇଛନ୍ତି । ସରକାରୀ ଓକିଲ ଏହାକୁ ବିରୋଧ କରି କହିଥିଲେ ଯେ ଇମ୍ରାନ ଗିରଫ ପରୱାନାର ସମୟ ସୀମା ମଧ୍ୟରେ ହାଜର ହେବା ଉଚିତ୍ । ବିଚାରପତି ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବା ସହ ତାଙ୍କୁ ଏପ୍ରିଲ ୧୮ ରେ କୋର୍ଟରେ ହାଜର କରିବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମାର୍ଚ୍ଚ ୨୪ ତାରିଖରେ ହୋଇଥିବା ଶୁଣାଣିରେ କୋର୍ଟ ଇମ୍ରାନଙ୍କ ବିରୋଧରେ ଜାରି ହୋଇଥିବା ଜାମିନ ବିହୀନ ୱାରେଣ୍ଟକୁ ଜାମିନଯୋଗ୍ୟ ୱାରେଣ୍ଟରେ ପରିଣତ କରିଥିଲେ।
ପୂର୍ବରୁ ଆତଙ୍କବାଦ ନିରୋଧୀ ଅଦାଲତ (ଏଟିସି) ଇମ୍ରାନ ଖାନଙ୍କ ଅନ୍ତରୀଣ ଜାମିନ ନାମଞ୍ଜୁର କରିବା ପରେ ପାକିସ୍ତାନ ହାଇକୋର୍ଟ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ତାଙ୍କ ଗିରଫଦାରି ଉପରେ ଅନ୍ତରୀଣ ରୋକ ଲଗାଇଛନ୍ତି । ଗତ ବର୍ଷ ତୋଶାଖାନା ମାମଲାରେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ପାକିସ୍ତାନ ତେହରିକ ଇନସାଫ ପାର୍ଟି (ପିଟିଆଇ)ର ପ୍ରତିବାଦକୁ ନେଇ ଇମ୍ରାନ ଖାନଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିଲା। ତେବେ ଇମ୍ରାନ ଖାନ ଡାକ୍ତରୀ କାରଣ ଦର୍ଶାଇ କୋର୍ଟରେ ହାଜର ହେବାରୁ ରିହାତି ପାଇଁ ଅନୁରୋଧ କରିଥିଲେ। ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ ୱାଜିରାବାଦରେ ଏକ ଶୋଭାଯାତ୍ରା ସମୟରେ ଗୁଳିମାଡ଼ ହେବା ପରଠାରୁ ଲାହୋରସ୍ଥିତ ତାଙ୍କ ଜମାନ୍ ପାର୍କ ବାସଭବନରେ ବିଶ୍ରାମ ନେଉଛନ୍ତି । ବୁଧବାର ଶୁଣାଣି ସମୟରେ ଇମ୍ରାନଙ୍କ ଓକିଲ ବାବର ଆୱାନ କୋର୍ଟଙ୍କୁ କହିଥିଲେ ଯେ ଇମ୍ରାନ ଇସଲାମାବାଦ ଆସିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଆସିପାରିନଥିଲେ। ସେ କୋର୍ଟଙ୍କୁ ଏକ୍ସରେ ମଧ୍ୟ ଦେଖାଇଥିଲେ, କିନ୍ତୁ କୋର୍ଟ ତାଙ୍କ କଥା ଶୁଣିନଥିଲେ। ହାଜରରୁ ମୁକ୍ତି ନେଇ ସେମାନଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଇମ୍ରାନ୍ ଖାନଙ୍କ ଓକିଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଠାରୁ ତାଙ୍କୁ ତୁରନ୍ତ ଅନ୍ତରୀଣ ସୁରକ୍ଷା ମିଳିଥିଲା ।
ସୂଚନାଯୋଗ୍ୟ, ପୁଲିସ ଅଧ୍ୟକ୍ଷ ଇମ୍ରାନଙ୍କ ଘରେ ପହଞ୍ଚିବା ପରେ ପୂର୍ବତନ ପ୍ରଧାନମାନ୍ତ୍ରୀ ତାଙ୍କ ଘରୁ କେଉଁଆଡେ ଫେରାର ହୋଇଯାଇଥିବା ଜାଣିବାକୁ ପାଇଥିଲେ। ସମସ୍ତ ଘର ଯାଞ୍ଚ କରିବା ପରେ ପୁଲିସ ଘଟଣାସ୍ଥଳରୁ ନିରାଶ ହୋଇ ଫେରି ଆସିଥିଲା। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦାମୀ ଗ୍ରାଫ ହାତଘଣ୍ଟା ସମେତ ଉପହାର କିଣିବା ନେଇ ବିବାଦ ଘେରରେ ଫସି ଯାଇଛନ୍ତି। ଏହି ସବୁ ଉପହାରକୁ ତୋସାଖାନା ନାମକ ଏକ ରାଜ୍ୟ ଜମା ବିଭାଗଠାରୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରିହାତି ମୂଲ୍ୟରେ ଗ୍ରହଣ କରିଥିଲେ ଏବଂ ପରେ ଏହାକୁ ଲାଭରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା।