ଭୁବନେଶ୍ଵର(ଓଡ଼ିଆ ନ୍ୟୁଜ): ଆରପାରିରେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା। ଶୁକ୍ରବାର ରଥଯାତ୍ରାରେ ଫଟୋ ଉଠାଇବା ପାଇଁ ଭୁବନେଶ୍ଵରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ପୁରୀ ସାତଶଙ୍ଖ ନିକଟରେ ଦୁର୍ଘଟଣା ଘଟି ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ସେ ସମୟ ଓ ଟାଇମସ ଅଫ ଇଣ୍ଡିଆ ଖବରକାଗଜରେ ଫଟୋଗ୍ରାଫର ଭାବେ କାର୍ୟ୍ୟରତ ଥିଲେ।
ସୂଚନାନୁଯାୟୀ, ଅଶୋକ ପଣ୍ଡାଙ୍କ ମରଶରୀରକୁ ଏବେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ପୋଷ୍ଟମର୍ଟମ ହେବା ପରେ ତାଙ୍କର ମରଶରୀର ପରିବାରକୁ ହସ୍ତାନ୍ତର କରାଯିବ। ସ୍ଵର୍ଗତ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ । ତାଙ୍କର ୧୦ ବର୍ଷର ଏକମାତ୍ର ଝିଅ ଓ ପତ୍ନୀ କଳ୍ପନା ଛକସ୍ଥ ସରକାରୀ କ୍ଵାଟରରେ ରହୁଛନ୍ତି । ତେବେ ଅଶୋକଙ୍କ ମୃତ୍ୟୁ ଖବର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳାଇ ଦେଇଛି ।