ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରର ଏକ ତାରକା ହୋଟେଲ ଠାରେ ମୁକ୍ତି ନୂଆ ଓଡିଆ ଚଳଚ୍ଚିତ୍ର କିସ୍ମିସ୍ର ଅଡିଓ ରିଲିଜ ଅନୁଷ୍ଠିତ ହୋଇଛି । ଝିଲିକ୍ ମୋସନ ପିକ୍ଚର୍ସର ବ୍ୟାନରରେ ନିର୍ମିତ ଏହି ସିନେମାରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ଅଭିନେତ୍ରୀରୁ ପ୍ରଯୋଜିକା ସାଜିଥିବା ବେଳେ ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଛନ୍ତି । ଅଡିଓ ରିଲିଜ କାର୍ଯ୍ୟକ୍ରମରେ ସମାଜସେବୀ ପ୍ରତିମା ଘଡାଇ , ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଜୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର, ବସନ୍ତ ନାୟକ ପ୍ରଡକ୍ସନ୍ ରପ୍ରଯୋଜକ ଟୁଟୁ ନାୟକ ଓ ସିନେମାର ନାୟକ- ନାୟିକା ସ୍ୱରାଜ ବାରିକ – ଶିବାନୀ ସଙ୍ଗିତାଙ୍କ ସହ କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
କିସ୍ମିସ୍ ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି । ୪ଟି ଯାକ ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ । “ସବୁ ଲଭ ଷ୍ଟେରୀ” ଗୀତଟିକୁ ଗାଇଛନ୍ତି ସ୍ୱୟମ୍ ପାଢୀ ଓ ଅନ୍ତରା ଚକ୍ରବର୍ତ୍ତି । ସେହିପରି “ତୋ ପ୍ରେମ ଜାଲରେ” ଗୀତରେ ଶଶାଙ୍କ ଶେଖର ଓ ଅମ୍ରିତା ନାୟକ କଣ୍ଠ ଦାନ କରିଥିବା ବେଳେ “ନ ଶୁଣିଲେ ନାହିଁ ଯା” ଗୀତଟିରେ ସତ୍ୟଜିତ ପ୍ରଧାନ ଓ ଜାଗୃତି ମିଶ୍ର କଣ୍ଠ ଦାନ କରିଛନ୍ତି । ଅନ୍ୟପଟେ “ବୋଲ ବୋଲ ବୋଲ” ଗୀତଟିରେ ତାରିକ୍ ଅଜିଜ୍ ଓ ଦିପ୍ତିରେଖା ପାଢୀ କଣ୍ଠ ଦାନ କରିଛନ୍ତି ।
ଅଗଷ୍ଟ ୩୧ ଗଣେଷ ପୂଜାରେ ପରଦାକୁ ଆସିବ ‘କିସ୍ ମିସ୍’ । ପୂର୍ବରୁ ସ୍ୱରାଜ-ଶିବାନୀ ଯୋଡିଙ୍କୁ ବଡ ପରଦାରେ ଦେଖି ସାରିଛନ୍ତି ଦର୍ଶକ । ତେବେ ଏଥିରେ ଉଭୟଙ୍କ ଲଭ, ରୋମାନ୍ସ ସହ ଆକ୍ସନ ଦେଖିବାକୁ ମିଳିବ । ପ୍ରେମକୁ ନେଇ କାହାଣୀ ଆଗକୁ ବଢ଼ିଥିବା ବେଳେ ସ୍ୱରାଜ ଓ ଶିବାନୀଙ୍କ ଅଭିନୟ ମନ କିଣିନେବ । ପ୍ରିତିରାଜ, ନୀତୁ ସିଂ, ମାନିନୀ, ଲିଙ୍କନ ପଟ୍ଟନାୟକ,ସୋମେନ୍ ପୂଜାରୀ, ଧରିତ୍ରୀ ପ୍ରମୁଖ ସିନେମାରେ ସାଥୀ କଳାକାର ଭାବେ ନଜର ଆସିଛନ୍ତି । ସ୍ୱରାଜ ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ଦୃଷ୍ଟିହୀନ ଭାବେ ଅଭିନୟ କରିଛନ୍ତି । ଓଡିଶା ଭିତରେ ସିନେମାର ସୁଟିଂ ହୋଇଥିବା ବେଳେ କେବଳ ଗୀତ ଗୁଡିକ ଓଡିଶା ବାହାରେ ସୁଟିଙ୍ଗ୍ ହୋଇଛି । ଅନେକ ଦିନ ପରେ ଗଣେଷ ପୂଜାରେ ସିନେମା ରିଲିଜ ହେଉଥିବାରୁ ଦର୍ଶକଙ୍କ ନିକଟତର ହେବାକୁ ଲକ୍ଷ୍ୟ ରଖାଯାଇଛି । ସାରା ଓଡିଶାର ବିଭିନ୍ନ ସିନେମା ହଲରେ ‘କିସ୍ ମିସ୍’ ମୁକ୍ତିଲାଭ କରିବ । ପୂର୍ବରୁ ଝିଲିକ ମୋସନ ପିକଚର୍ସ ବ୍ୟାନରରେ ରୁଦ୍ରାଣୀ, ତୋର ମୋର କଟି, ତୁ ମୋର ସିଏ ମଧ୍ୟ ପ୍ରସ୍ତୁତ ହୋଇ ମୁକ୍ତିଲାଭ ଅପେକ୍ଷାରେ ରହିଛି।