ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ଓଡ଼ିଶା ଗସ୍ତ ଅଭିମୁଖେ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ରେଳ ଷ୍ଟେସନରୁ ରାଉରକେଲାକୁ ଯାତ୍ରା କରିଛନ୍ତି ।
ଆସନ୍ତାକାଲି ଶ୍ରୀ ପ୍ରଧାନ ରାଉରକେଲା ରେଳ ଷ୍ଟେସନ ଠାରେ ପ୍ରଥମେ ଭାରତ ସରକାରଙ୍କ ତରଫରୁ ଆୟୋଜିତ ହର୍ ଘର୍ ତ୍ରିରଙ୍ଗା ଏବଂ ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଲୋକାର୍ପଣ କରିବେ । ପରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିବେ । ଏନଆଇଟି ରାଉରକେଲାରୁ ବାହାରିବା ପରେ ବିର୍ସା ମୁଣ୍ଡା ଛକରେ ଦଳ ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବେ । ଅପରାହ୍ଣରେ ଚାମ୍ବର ଭବନ ଠାରେ ରାଉରକେଲା ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଯିବେ । ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ରେ ଅନୁଷ୍ଠିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେବା ପରେ ସନ୍ଧ୍ୟାରେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଆସନ୍ତା ୧୪ ତାରିଖରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ଏକ ପ୍ରଦର୍ଶନୀର ଉଦଘାଟନ କରିବେ । ସନ୍ଧ୍ୟାରେ ଭୁବନେଶ୍ୱରରେ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ନୀରବ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।