ଓଡ଼ିଆ ନ୍ୟୁଜ୍: ଜୀବନ୍ତ କଉ ମାଛ ତଣ୍ଟିରେ ଲାଗିବାରୁ ଯୁବକଙ୍କ ମୃତ୍ୟୁ।ବାଙ୍ଗିରିପୋଷି ଥାନା ଦିଘି ଗାଁରେ ଆଶ୍ଚର୍ଯ୍ୟଜନକ ଘଟଣା।ବନ୍ଧରେ ମାଛ ଧରିବା ବେଳେ ଜୀବନ୍ତ ମାଛକୁ ପାଟିରେ ଧରିଥିଲେ।ଅସାବଧାନତାରୁ ମାଛଟି ପାଟିରେ ପଶି ତଣ୍ଟିରେ ଅଟକିବାରୁ ଗଲା ଜୀବନ।ବାଙ୍ଗିରିପୋଷି ଡାକ୍ତରଖାନାରେ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର। ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ହସ୍ପିଟାଲରେ ପରିବାର ଲୋକଙ୍କ ଉତ୍ତେଜନା।
ସୂଚନା ଅନୁସାରେ, ଶୁକ୍ରବାର ଦିଘି ଗ୍ରାମର ଅବିନାଶ ବିଜୁଳି ଗାଁ ନିକଟ ବନ୍ଧରେ ମାଛ ଧରିବାକୁ ଯାଇଥିଲେ। ହେଲେ ସେଠାରେ ଏକ କଉ ମାଛକୁ ପାଟିରେ କାମୁଡ଼ି ଧରିଥିବା ବେଳେ ତାହା ତାଙ୍କ ପାଟିରେ ପଶି ଶ୍ବାସନଳୀରେ ଅଟକି ଯାଇଥିଲା। ଫଳରେ ଶ୍ବାସରୁଦ୍ଧ ହୋଇ ଗୁରୁତର ହୋଇପଡ଼ିଥିଲେ ଅବିନାଶ। ସଙ୍ଗେ ସଙ୍ଗେ ତାଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଏହା ପରେ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଘଟଣାରେ ଡାକ୍ତରଙ୍କ ଅବହେଳାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।
ମୃତକଙ୍କ ଦାଦା ତଥା ଦିଘି ଗ୍ରାମର ପୂର୍ବତନ ସରପଞ୍ଚ ବଙ୍କିମ ଚନ୍ଦ୍ର ବିଜୁଳିଙ୍କ କହିବା ଅନୁସାରେ, ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିଲେ। କେବଳ ସେତିକି ନୁହେଁ, ଡାକ୍ତର ଜଣକ ଅସୌଜନ୍ୟମୂଳକ ବ୍ୟବହାର କରିବା ସହ ଜାତିଗତ ଆକ୍ଷେପ କରିଥିବା ସହ ଚିକିତ୍ସା କରିବା ପରିବର୍ତ୍ତେ ତୁରନ୍ତ ବାରିପଦା ରେଫର କରିଦେଇଥିଲେ ଡାକ୍ତର। ଯେଉଁଥିପାଇଁ ଠିକ୍ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।