ଭଟିଣ୍ଡା ମିଲିଟାରି ଷ୍ଟେସନ ଗୁଳିକାଣ୍ଡ ଘଟଣା: ଅପ୍ରାକୃତିକ ଯୌନ ସମ୍ପର୍କ ଦାବିରେ ଅତିଷ୍ଠ ହୋଇ ଏମିତି କରିଛି ଅଭିଯୁକ୍ତ !

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଭଟିଣ୍ଡା ମିଲିଟାରି ଷ୍ଟେସନ ଗୁଳିକାଣ୍ଡ ଘଟଣା ତଦନ୍ତ କରୁଛି ପଞ୍ଜାବ ପୁଲିସ । ସୋମବାର ପଞ୍ଜାବ ପୁଲିସ କହିଛି ଯେ ଭଟିଣ୍ଡା ମିଲିଟାରି ଷ୍ଟେସନରେ ଏପ୍ରିଲ ୧୨ରେ ଘଟିଥିବା ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ୪ ଜଣ ଯବାନଙ୍କୁ ଶୋଇଥିବା ସମୟରେ ଗୁଳି କରି ହତ୍ୟା କରିଥିବା ସେନା ବନ୍ଧୁକଧାରୀ ବ୍ୟକ୍ତିଗତ ଶତ୍ରୁତା କାରଣରୁ ଏପରି କରିଛନ୍ତି। ଅନ୍ୟପକ୍ଷରେ ୪ ଜଣ ଯବାନଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଆର୍ମି ଗାର୍ଡ ଅପ୍ରାକୃତିକ ଯୌନ ସମ୍ପର୍କ ଦାବିରେ ଅତିଷ୍ଠ ହୋଇ ଏହି ଚରମ ପଦକ୍ଷେପ ନେଇଛନ୍ତି ବୋଲି ପଞ୍ଜାବ ପୁଲିସର ଜଣେ ଶୀର୍ଷ ଅଧିକାରୀ  ଜାତୀୟ ଗଣମାଧ୍ୟମ ‘ନିଉଜ୍ ୧୮’  କହିଛନ୍ତି। ଭଟିଣ୍ଡା ମିଲିଟାରି ଷ୍ଟେସନରେ ସଂପୃକ୍ତ ୪ ଜଣ ଯବାନଙ୍କ ଦ୍ୱାରା ଅଭିଯୁକ୍ତ ମୋହନ ଦେଶାଇ ଉପରେ ଲଗାତାର ଅପ୍ରାକୃତିକ ଯୌନ ନିର୍ଯାତନାକୁ ନେଇ ସେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲେ ବୋଲି ସେ କହିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ଭଟିଣ୍ଡାର ଏସଏସପି ଗୁଲନୀତ ଖୁରାନା କହିଛନ୍ତି ଯେ ସେନା ବନ୍ଧୁକଧାରୀଙ୍କୁ ନିରନ୍ତର ପଚରାଉଚରା ପରେ ସେ ଇନସାସ ରାଇଫଲ ଚୋରି କରିବା ସହ ତାଙ୍କ ୪ ଜଣ ସହଯୋଗୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଦୀର୍ଘ ପଚରାଉଚରା ପରେ ଆମେ ଜାଣିବାକୁ ପାଇଲୁ ଯେ ଗୋଟିଏ ଅସ୍ତ୍ର ଚୋରି ହୋଇଛି ଏବଂ ତାହା ଯବାନଙ୍କୁ ହତ୍ୟା କରିବା ପାଇଁ ବ୍ୟବହୃତ ହୋଇଥିଲା। ପରେ ଆର୍ଟିଲାରି ୟୁନିଟର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା ବେଳେ ସେ ଇନସାସ୍‌ ରାଇଫଲ ଚୋରି କରିବା ସହ ତାଙ୍କ ୪ ଜଣ ସହଯୋଗୀଙ୍କୁ ହତ୍ୟା କରିବାରେ ସମ୍ପୃକ୍ତ ଥିବା ପୁଲିସ ଆଗରେ ସ୍ୱୀକାର କରିଥିଲା। ବ୍ୟକ୍ତିଗତ ଶତ୍ରୁତାରୁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଏସ୍‌ଏସ୍‌ପି ଭଟିଣ୍ଡା କହିଛନ୍ତି। ଅଭିଯୁକ୍ତକୁ ରିମାଣ୍ଡରେ ନେବା ପରେ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି। ଏସଏସପି କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ଠାବ ହୋଇନାହିଁ। ଭାରତୀୟ ସେନା ଆଜି ଏକ ବିବୃତ୍ତିରେ କହିଛି ଯେ, ଯେଉଁ ଆର୍ଟିଲାରି ୟୁନିଟରେ ଏହି ଘଟଣା ଘଟିଛି, ସେହି ଆର୍ଟିଲାରି ୟୁନିଟର ବନ୍ଧୁକଧାରୀ ଦେଶାଇ ମୋହନ ଇନସାସ୍‌ ରାଇଫଲ ଚୋରି କରିବା ଏବଂ ତାଙ୍କ ୪ ଜଣ ସହଯୋଗୀଙ୍କୁ ହତ୍ୟା କରିବାରେ ସମ୍ପୃକ୍ତ ଥିବା ପୁଲିସ ନିକଟରେ ସ୍ୱୀକାର କରିଛି।

ଭାରତୀୟ ସେନାର ଦକ୍ଷିଣ ପଶ୍ଚିମ କମାଣ୍ଡ ମୁଖ୍ୟାଳୟ କହିଛି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ବ୍ୟକ୍ତିଗତ କାରଣ କିମ୍ବା ଶତ୍ରୁତା ଏହି ଗୁଳିକାଣ୍ଡର କାରଣ ହୋଇପାରେ। ପୁଲିସ ନିକଟରେ ଅଭିଯୁକ୍ତର ସ୍ୱୀକାରୋକ୍ତି ଅନୁଯାୟୀ, ମୋହନ ଏପ୍ରିଲ ୯ ତାରିଖ ସକାଳେ ଏକ ଭର୍ତ୍ତି ମାଗାଜିନ୍‌ ସହ ଅସ୍ତ୍ରଶସ୍ତ୍ର ଚୋରି କରି ଲୁଚାଇ ରଖିଥିଲା। ଏପ୍ରିଲ ୧୨ ତାରିଖ ଭୋର ପ୍ରାୟ ସାଢ଼େ ୪ଟାରେ ସେଣ୍ଟ୍ରି ଡ୍ୟୁଟିରେ ଥିବା ବେଳେ ପ୍ରଥମ ମହଲାକୁ ଯାଇ ଶୋଇଥିବା ବେଳେ ୪ ଜଣ ଯବାନଙ୍କୁ ହତ୍ୟା କରିଥିଲା। ଏହାପରେ ମୋହନ ରାଇଫଲକୁ ଏକ ପାଇଖାନା ଟାଙ୍କି ଭିତରେ ଫିଙ୍ଗି ଦେଇଥିଲେ। ପାଇଖାନା ଟାଙ୍କି ଭିତରୁ ଅସ୍ତ୍ରଶସ୍ତ୍ର ଓ ଅତିରିକ୍ତ ଗୁଳି ଜବତ କରାଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି। ଏପ୍ରିଲ ୧୨ ତାରିଖରେ ଦାଖଲ ହୋଇଥିବା ପ୍ରାରମ୍ଭିକ ଏଫଆଇଆରରେ ସେନା ବନ୍ଧୁକଧାରୀ ମିଥ୍ୟା ଭାବେ କହିଥିଲେ ଯେ ଗୁଳିକାଣ୍ଡ ଘଟଣା ଦିନ ସକାଳେ ସେ ଦୁଇ ଜଣଙ୍କୁ ବେସାମରିକ ପୋଷାକ ପିନ୍ଧି ଥିବା ଏବଂ ମୁହଁରେ ମାସ୍କ ପିନ୍ଧି ବ୍ୟାରାକରୁ ବାହାରି ଜଙ୍ଗଲ ଆଡ଼କୁ ଦୌଡ଼ୁଥିବା ଦେଖିଥିଲେ! ତେବେ, ତଦନ୍ତକାରୀ ଏଜେନ୍‌ସିଗୁଡ଼ିକର ଦୃଷ୍ଟି ହଟାଇବା ପାଇଁ ଦେଶାଇ ମୋହନଙ୍କ ଏହି ବୟାନ ଉଦ୍ଦଷ୍ଟ ଥିଲା ବୋଲି ସେନା କହିଛି।

Leave A Reply

Your email address will not be published.