ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଘରୋଇ କମ୍ପାନିରେ ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପୁରୁଣା ଭୁବନେଶ୍ୱର ପୁନାମା ଗେଟ ପାଖରେ ରହୁଥିବା ସାଲେପୁର ଅଞ୍ଚଳର ଚନ୍ଦ୍ରଶେଖର ପ୍ରଧାନ । ପୋଲିସ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ, ସତ୍ୟବ୍ରତ ପଟ୍ଟନାୟକ ଜଣେ ଏମବିଏ ଡିଗ୍ରୀଧାରୀ ଏବଂ ସେ ତାଙ୍କର ସାଙ୍ଗ ଅମରେଶ ନାୟକଙ୍କ ସହିତ ଆଚାର୍ଯ୍ୟ ବିହାରର ଭୋଇନଗରରେ ଭଡାରେ ରହୁଛନ୍ତି । ଅମରେଶ ଚଳିତ ବର୍ଷ ମାର୍ଚ୍ଚ ମାସରେ ଅଭିଯୁକ୍ତ ତଥା କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ବୋଇଲୋ ଗ୍ରାମର ଚନ୍ଦ୍ରଶେଖରଙ୍କୁ ଟିପିସିଓଡିଏଲ୍ ଭୁବନେଶ୍ୱରରେ ସିସିଏ ପଦବିରେ ଚାକିରି କରାଇଦେଉଥିବାର ଜାଣିବା ପରେ ସେ ତାଙ୍କର ଯୋଗାଯୋଗ ନଂ ସତ୍ୟବ୍ରତଙ୍କୁ ଦେଇଥିଲେ । ସତ୍ୟବ୍ରତ ଜଣେ ବେରୋଜଗାର ଥିବାରୁ ସେ ଚନ୍ଦ୍ରଶେଖରଙ୍କୁ ଯୋଗାଯୋଗ କରିଥିଲେ ।
ଚନ୍ଦ୍ରଶେଖର ନିଜକୁ ଟାଟା ପାୱାର ଭୁବନେଶ୍ୱରର ଜଣେ କର୍ମଚାରୀ ପରିଚୟ ଦେବା ସହ ସତ୍ୟବ୍ରତଙ୍କୁ ଚାକିରି ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ଗତ ମର୍ଚ୍ଚ ୧୦ ତାରିଖରେ ଚନ୍ଦ୍ରଶେଖର ଚାକିରି କରାଇଦେବା ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ସତ୍ୟବ୍ରତଙ୍କ ଠାରୁ ସମୁଦାୟ ୮ ହଜାର ଟଙ୍କା ନେବା ପରେ ଗୋଟିଏ ଜାଲି ନିଯୁକ୍ତିପତ୍ର ଦେଇଥିଲେ । ନିଯୁକ୍ତିପତ୍ରରେ ଥିବା ଠିକଣାରେ ସତ୍ୟବ୍ରତ ଯାଇ ପହଞ୍ଚିବା ପରେ ସେଠାରେ ଥିବା କର୍ମଚାରୀମାନଙ୍କ ଠାରୁ ସେ ପାଇଥିବା ନିଯୁକ୍ତି ପତ୍ରଟି ଜାଲି ବୋଲି ଜାଣିବାକୁ ପାଇଥିଲେ ।
ସହିଦନଗର ପୁଲିସ ମାମଲାର ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଅଭିଯୁକ୍ତ ଚନ୍ଦ୍ରଶେଖର ଜଣେ ବେକାରି ଏବଂ ସେ ପୂର୍ବରୁ ଟାଟା ପାୱାରରେ ଚାକିରି କରିବା ସହ ୫୦ ହଜାର ଟଙ୍କା ଜାଲିଆତିରେ ବହିଷ୍କୃତ ହୋଇଥିବା ଜାଣିବାକୁ ପାଇଥିଲେ । ପୁଲିସ ଏହା ମଧ୍ୟ ଜାଣିବାକୁ ପାଇଥିଲେ ଯେ, ଚନ୍ଦ୍ରଶେଖର ନିଜକୁ ଜଣେ ଟିପିସିଓଡିଏଲ୍ ଭୁବନେଶ୍ୱରର କର୍ମଚାରୀ ପରିଚୟ ଦେବା ସହ ଅନେକ ବେକାରୀ ଯୁବକ ଏବଂ ଯୁବତୀମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଚାକିରି କରାଇଦେବା ଆଳରେ ଠକେଇ କରିଛନ୍ତି । ଆଜି ବିଶେଷ ସୂତ୍ରରୁ ଖବର ପାଇ ସହିଦନଗର ପୁଲିସ ଚନ୍ଦ୍ରଶେଖରଙ୍କୁ କାବୁ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଚନ୍ଦ୍ରଶେଖର ନିଜର ଅପରାଧ ସ୍ୱୀକାର କରିଥିଲେ ।