ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବାଘ ଆତଙ୍କ । ଆଜି ସକାଳ ପ୍ରାୟ ୯ ଟା ୨୯ ମିନିଟ ବେଳକୁ ଭୁବନେଶ୍ୱର ବିମାନବନ୍ଦର ଡ୍ରଂପିଙ୍ଗୟାର୍ଡ ନିକଟରେ ଏକ ଭାଗ ବୁଲୁଥିବାର ସେଠି କାମ କରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ସ୍ଥାନୀୟ ଅଞ୍ଚଳରେ ଏହା ପରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏନେଇ ବନବିଭାଗକୁ ସୂଚନା ଦିଆଯାଇଥିଲା।
ଏହି ଖବର ପ୍ରଚାରିତ ହେବା ପରେ ବିମାନବନ୍ଦର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଖେଳି ଯାଇଛି। ଡମ୍ପିୟାର୍ଡ କର୍ମଚାରୀମାନେ କଲରାପତରିଆ ଦେଖିଥିବା କହିଛନ୍ତି । ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଉଦ୍ୟମ କରାଯାଉଛି । ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ ଉପକରଣ ସହ ସଜାଗ ରହିଛି ବନବିଭାଗ । ଏହାପରେ ବନବିଭାଗ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏନେଇ ସୂଚନା ଦେଇଥିବା ବେଳେ ଯେ ପର୍ଯ୍ୟନ୍ତ ବାଘ କାବୁ ନ ହୋଇଛି ସେ ପର୍ଯ୍ୟନ୍ତ ସେହି ଅଞ୍ଚଳରେ କାମ ବନ୍ଦ ରଖିବାକୁ ପରାମର୍ଶ ଦେଇଛନ୍ତି।
ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ବାଘ ଦେଖାଯାଇଥିଲା । ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ । ଏବେ ପୁଣି ଥରେ ବାଘ ବୁଲୁଥିବା ଖବର ପ୍ରଚାରିତ ହେଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ ବନ ଅଧିକାରୀଙ୍କ ସୂଚନା ମିଳି ପାରିନି।