ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଆଗୁଆ ତାର ସମମ ସଜ୍ଜା ଆରମ୍ଭ କରିଦେଇଛି । ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା ଆଉ ଏବେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି । ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର ପରିଷଦ ଲାଗି ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ, ଲଇକେରା ବ୍ଲକ ପାଇଁ ପ୍ରତାପ କେଶରୀ ଦେବ ଓ ଦିବ୍ୟଶଙ୍କର ମିଶ୍ର, କିରମିରା ଲାଗି ଅତନୁ ସବ୍ୟସାଚୀ ନାୟକ ଓ ଟୁକୁନି ସାହୁ, କୋଲାବିରା ବ୍ଲକ ଲାଗି ନିରଂଜନ ପୂଜାରୀ ଓ ସରୋଜ ମେହେର ଏବଂ ଝାରସୁଗୁଡ଼ା ବ୍ଲକ ପାଇଁ ପଦ୍ମନାଭ ବେହେରା ଓ ଅରୁଣ ସାହୁଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଝାରସୁଗୁଡ଼ାରେ ଡେରା ପକାଇଛନ୍ତି ବିଜେଡି ନେତା। ଏହାରି ଭିତରେ ଆଜି ବିଜେଡିର ବରିଷ୍ଠ ନେତୃମଣ୍ଡଳୀ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ ଓ ସାରଦା ନାୟକ ଝାରସୁଗୁଡ଼ା ଗସ୍ତ କରିଛନ୍ତି। ସେଠାରେ ଏକ ଘରୋଇ ହୋଟେଲରେ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି।
ସେପଟେ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ଓ ବିଜେପି ଏଯାଏଁ ନିଜ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ଆସନ୍ତାକାଲି ଉଭୟ ବିଜେପି ଓ କଂଗ୍ରେସର ନିଜର ପ୍ରାର୍ଥୀ ଘୋଷଣା କରିପାରନ୍ତି । ଗୋଟେପଟେ ଉପନିର୍ବାଚନରେ ବିଜେଡି ଦୀପାଳିଙ୍କୁ ନିର୍ବାଚନୀ ମଇଦାନକୁ ଓହ୍ଲାଇ ଉଭୟ ଅନୁକମ୍ପା ଓ ମହିଳା ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହାକୁ ଟକ୍କର ଦେବାକୁ ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରିବେ ତାକୁ ନେଇ ଛକାପଞ୍ଝା ଲାଗିରହିଛି। ବିଜେପି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ନାଁ ସର୍ବାଗ୍ରେ ରହିଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି। ଶ୍ରୀ ତ୍ରିପାଠୀ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିଲେ ସୁଦ୍ଧା ଗତ ବିଧାନସଭା ନିର୍ବାଚନଠାରୁ ଝାରସୁଗୁଡ଼ା ଆସନରେ ଦଳୀୟ ପ୍ରାର୍ଥୀ ପାଇଁ ଦାବିଦାର ରହିଆସିଛନ୍ତି। ଏପରିକି ଗତ ନିର୍ବାଚନ ସମୟରେ ହୋଇଥିବା ଦଳୀୟ ସର୍ଭେରେ ବି ଶ୍ରୀ ତ୍ରିପାଠୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏହାବାଦ୍ ନବ ଦାସଙ୍କ ଦେହାନ୍ତ ପରଠାରୁ ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମର ନେତୃତ୍ବ ନେଇଚାଲିଛନ୍ତି। ମାତ୍ର ଶ୍ରୀ ତ୍ରିପାଠୀ ଜିଲ୍ଲା ବିଜେପିର କୌଣସି ପଦପଦବିରେ ନଥିବା ବେଳେ ସେ ବାହାର ଜିଲ୍ଲାର ହୋଇଥିବାରୁ ଜିଲ୍ଲା ବିଜେପିର କିଛି ପୁରୁଖା ନେତା ତାଙ୍କୁ ବିରୋଧ କରିଆସୁଛନ୍ତି। ଏପରିକି କିଛି ନେତା ଗତ ମାସରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିକଟକୁ ଚିଠି ଲେଖି ଅସନ୍ତୋଷ ଜାହିର କରିଥିବା ଘଟଣା ବି ସାମ୍ନାକୁ ଆସିଥିଲା। ଦ୍ବିତୀୟରେ ଗତ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଥିବା ଦିନେଶ ଜୈନଙ୍କ ନାଁ ବି ଚର୍ଚ୍ଚାକୁ ଆସୁଛି। ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପି ଅଧିକ ୧୭ ପ୍ରତିଶତ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିବାରୁ ଚଳିତ ନିର୍ବାଚନରେ ବି ତାଙ୍କୁ ଟିକଟ ମିଳିପାରେ ବୋଲି କୁହାଯାଉଛି