ବିଜେପି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଧାମନଗରରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ମହିଳା ଏସଏସଜି ଗ୍ରୁପ୍ ଦ୍ୱାରା ଟଙ୍କା ବଣ୍ଟା ଅଭିଯୋଗର ନିଆଁ ଏବେ ଦିଲ୍ଲୀକୁ ଚାଲିଯାଇଛି । ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖରେ ବିଜେଡି ବିରୋଧରେ ଫେରାଦ ହୋଇଥିଲା ବେଳେ ଆଜି ବିଜେଡି ପକ୍ଷରୁ ପାଲଟା ଜବାବ ଦିଆଯାଇଛି ।

ଧାମନଗରରେ ବିଜେପି ନେତା ଓ କର୍ମୀମାନେ ନିର୍ବାଚନୀ ଅନିୟମିତା ଏବଂ ଅସାଧୁ କାର୍ଯ୍ୟରେ ଲିପ୍ତ ଥିବାର ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ କମିସନରଙ୍କ ପାଖରେ ଫେରାଦ ହୋଇଛି ବିଜେଡି । ଦଳର ରାଜ୍ୟସଭା ନେତା ଡ. ସସ୍ମିତ୍ ପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ବିଜେଡି ଅଭିଯୋଗ କରିଛି ଯେ ଧାମନଗର ଉପନିର୍ବାଚନ ଜିତିବା ପାଇଁ ଓଡ଼ିଶା ବିଜେପି ମିଥ୍ୟା ଅପପ୍ରଚାର ଏବଂ ଜାଲିଆତିର ଆଶ୍ରୟ ନେଇଛି । ମିଶନ ଶକ୍ତି ମା’ ମାନେ ଟଙ୍କା ବାଣ୍ଟିବାର ଜାଲ୍ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ୍ ମିଡ଼ିଆରେ ଛଡ଼ାଯାଇଛି । ଏହା ଓଡ଼ିଶାର ୭୦ ଲକ୍ଷ ମିଶନ ଶକ୍ତି ମା’ ମାନଙ୍କ ପ୍ରତି ଅପମାନ ଏବଂ ସେମାନଙ୍କ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିଛି ।
ଅନ୍ୟପକ୍ଷରେ, ଧାମନଗରରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଓଡ଼ିଶା ବିଜେପି ପକ୍ଷରୁ ପ୍ରଚୁର କଳାଟଙ୍କା ଲଗାଯାଇଛି । ଭୋଟରଙ୍କୁ ନାନା ପ୍ରଲୋଭନ ଦିଆଯାଉଛି । ବିଜେପି କୌଣସି ନିର୍ବାଚନରେ ଯେତେବେଳେ ନିଶ୍ଚିତ ପରାଜୟ ଜାଣିଯାଏ, ସେତେବେଳେ ଏଭଳି ମିଥ୍ୟା ପ୍ରଲୋଭନ ଏବଂ ଅର୍ଥବଳର ଆଶ୍ରୟ ନେଇଥାଏ । ଅତୀତରେ ଏହା ବାରମ୍ବାର ପ୍ରମାଣିତ ହୋଇଛି ।

ସେହିଭଳି, ନିର୍ବାଚନ କି ଉପନିର୍ବାଚନ ସମୟରେ ସ୍ଥାନୀୟ ପ୍ରଶାସନ ବିରୋଧରେ ମିଥ୍ୟା ଏବଂ ମନଗଢ଼ା ଅଭିଯୋଗ ଆଣିବା ବିଜେପିର ପୁରୁଣା ଅଭ୍ୟାସ । ଏଭଳି କରି ସେମାନେ ସରକାରୀ ଅଧିକାରୀମାନଙ୍କ ମଧ୍ୟରେ ଭୟ ସଂଚାର କରିବାକୁ ଉଦ୍ୟମ କରୁଛନ୍ତି । ଏହା ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନକୁ ପ୍ରଭାବିତ କରିବାର ଆଶଙ୍କା ରଖୁଛି ।
ଏସବୁ କାର୍ଯ୍ୟରୁ ବିଜେପିକୁ ନିବୃତ୍ତ ରଖିବାକୁ ବିଜେଡି ମୁଖ୍ୟ ନିର୍ବାଚନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଜାଲ୍ ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ଏସଏସଜି ମା’ ମାନଙ୍କୁ ବଦନାମ କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି

Leave A Reply

Your email address will not be published.