ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ବଜେଟର କଳେବର ବୃଦ୍ଧି ପାଇ ୨.୩୦ ଲକ୍ଷ କୋଟି ପହଂଚିଥିବାର ଆସ୍ପାଳନ କରୁଛନ୍ତି ରାଜ୍ୟ ସରକାର । ମାତ୍ର ବଜେଟ ଆକଳନର ଶତାଂଶ ହିସାବରେ ବ୍ୟୟ ବର୍ଷ ବର୍ଷ ଧରି ହ୍ରାସ ପାଉଥିବା ତଥ୍ୟକୁ କାହିଁକି ରାଜ୍ୟ ସରକାର ଲୁଚାଇ ରଖିଛନ୍ତି ? ବର୍ଷ ବର୍ଷ ଧରି ବଳକା ରାଜସ୍ୱର ବଜେଟ୍ ଆଣୁଥିବା କଥା କୁହାଯାଉଛି । ତେଣୁ ଚଳିତ ବଜେଟରେ ରାଜ୍ୟ ସରକାର ଋଣ ବୋଝ ହାଲୁକା କରି ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ଦେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ସବୁ ଅର୍ଥନୈତିକ ମାପଦଣ୍ଡରେ ଚଳିତ ବଜେଟ ରାଜ୍ୟବାସୀଙ୍କୁ ନିରାଶ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟରେ ଶିଳ୍ପ କ୍ଷେତ୍ର ପ୍ରାୟ ସୁପ୍ତାବସ୍ଥାରେ, ନିଯୁକ୍ତି ସୃଷ୍ଟି ଶୁନ୍ୟ, ଭିତିଭୁମି ବିକାଶ ପାଇଁ କୈାଣସି ଯୋଜନା ନଥିବାବେଳେ କେଉଁ ଆଧାରରେ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ୮.୫ ପ୍ରତିଶତ ରହିବ ? ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଛି ବୋଲି କହୁଥିବାବେଳେ ରାଜ୍ୟରେ ଦାରିଦ୍ର୍ୟ କାହିଁକି ହ୍ରାସ ପାଉନାହିଁ ? ୨୩ ବର୍ଷର ଶାସନ ପରେ ବି ଯେଉଁ ଭଳି ଭାବେ ରାଜ୍ୟର ଆର୍ଥୀକ ପ୍ରଗତି ହେବା କଥା ତାହା ହୋଇ ପାରିଲା ନାହିଁ ? କୁହାଯାଉଛି ଦେଶର ସମସ୍ତ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ କାଳେ ଓଡିଶାର ମୋଟ ବଜେଟ ବ୍ୟୟ ଓ ପୁଞ୍ଜି ବ୍ୟୟର ଅନୁପାତ ସର୍ବାଧିକ । କିନ୍ତୁ, ୨୦୧୯ ରୁ ୨୦୨୨ ମଧ୍ୟରେ ଦେଶର ୧୦ଟି ପ୍ରମୁଖ ରାଜ୍ୟ ଯଥା, ଉତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ବିହାର, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ରାଜସ୍ଥାନ ସମସ୍ତ ରାଜ୍ୟ କରିଥିବା ପୁଞ୍ଜି ବ୍ୟୟର ୭୭ ପ୍ରତିଶତ ଖର୍ଚ୍ଚ କରିଥାନ୍ତି । ଓଡିଶା ରାଜ୍ୟ ଏହି ତାଲିକାରେ ନାହିଁ ।
ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ଗତ ୪ ବର୍ଷରେ ଲଗାତାର ଭାବେ ରାଜସ୍ୱ ବଳକା ବଜେଟ ଆଣିବାରେ ଦେଶର ଏକମାତ୍ର ରାଜ୍ୟ । ତେଣୁ ଆଶା କରାଯାଉଥିଲା ଯେ ରାଜ୍ୟର ପୁଞ୍ଜି ବ୍ୟୟ ଦେଶର ପ୍ରମୁଖ ରାଜ୍ୟମାନଙ୍କ ସହିତ ସମକ୍ଷକ ହେବ । ସେ ଦୃଷ୍ଟି କୋଣରୁ ଏହି ବଜେଟ୍ ରାଜ୍ୟବାସୀଙ୍କୁ ନିରାଶ କରିଛି । ଓଡିଆ ଜାତିର ଅସ୍ମିତାର ପ୍ରତୀକ ଓଡିଆ ବିଶ୍ୱ ବିଦ୍ୟାଳୟ ପାଇଁ ଚଳିତ ବଜେଟରେ ୨୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କିନ୍ତୁ, ୬ ବର୍ଷ ତଳେ ଏହି ବିଶ୍ୱବିଦ୍ୟାଳୟର ଶୁଭ ସ୍ୱୟଂ ମୁଖ୍ୟମନ୍ତ୍ରୀ କରିଥିଲେ । ପ୍ରକଳ୍ପ ସ୍ଥାନରେ ଏହି ୬ ବର୍ଷ ଭିତରେ ଇଟା ଖଣ୍ଡିଏଟି ପଡିଲା ନାହିଁ । ଏଭଳି ଅନେକ ଅଧୁରା ସ୍ୱପ୍ନର ସୈାଦାଗର ସାଜିଛନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ମହାନ୍ତି କହିଛନ୍ତି ।