ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଦୀର୍ଘଦିନରୁ ରାଜ୍ୟସଭାକୁ ବିଜେଡିର ପ୍ରାର୍ଥୀ ମନୋନୟନ ନେଇ ଦେଖାଦେଇଥିବା ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖାଲିଥିବା ୪ଟି ଆସନ ପାଇଁ ୪ଜଣ ଯୁବ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କରିଛନ୍ତି । ମନୋବୀତ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ କେହି ବି ବୟୋଜ୍ୟେଷ୍ଠ ନାହାନ୍ତି । ଯୁବ, ମହିଳା,ସଂଖ୍ୟଲଘୁ ଆଦିବାସୀ ପ୍ରତି ଦଳ ଏଥର ଗୁରୁତ୍ୱ ଦେଇଛି । ଦଳପ୍ରତି ଆନୁଗତ୍ୟ, ପୂର୍ବ ,ଅଭିଜ୍ଞତା, ଶୃଙ୍ଖଳା ତଥା ସାଙ୍ଗଠନିକ ଦକ୍ଷତା ପ୍ରତି ଏଥର ଗୁରୁତ୍ୱ ଦେଇଛି ଦଳ । ସବୁଠୁ ବଡ଼ କଥା ହେଉଛି ପ୍ୟାରୀ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କରେ ପରେ ଦ୍ୱିତୀୟଥର ପାଇଁ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ପଠାଇଛନ୍ତି ବିଜେଡି ସୁପ୍ରିମୋ । ତେବେ ସସ୍ମିତଙ୍କ ବ୍ୟତୀତ ଅନ୍ୟ ୩ଜଣ ନୂଆମୁହଁ । ସରପଂଚରୁ ରାଜନୀତି କ୍ୟାରୟର ଆରମ୍ଭ କରି ଦୀର୍ଘଦିନ ଧରି ରାଜ୍ୟସରକାରଙ୍କ ବିଭିନ୍ନ ପଦ ପଦବୀରେ ରହି ମୁଖପାତ୍ର ଭାବରେ ବିରୋଧୀଙ୍କୁ ଚକମା ଦେଉଥିବା ସୁଲତା ଦେଓଙ୍କୁ ବିଜେଡି ରାଜ୍ୟସଭା ପଠାଇ ପୁରସ୍କୃତ କରିଛି । ଦଳରେ ମହିଳାଙ୍କୁ ସବୁବେଳେ ଗୁରୁତ୍ୱ ଦେଇଆସୁଥିବା କଥା ଯେଉଁ କୁହାଯାଉଥିଲା ତାହାକୁୂ ସଠିକ୍ ପ୍ରମାଣିତ କରିଛି ଦଳ । କାରଣ କିଛିଦିନ ପୂର୍ବେ ଅନୁଷ୍ଠିତ ହୋଇଥିବା ୩ଟି ମହାନଗର ନିର୍ବାଚନରେ ୨ଟିରେ ମହିଳା ଉପନିର୍ବାଚନ ପ୍ରାର୍ଥୀଦେଇ ବିଜେଡି ଇତିହାସ ରଚିଥିଲା ।
ସେହିପରି ରାଜ୍ୟ ଗଣମାଧ୍ୟମ ପରାମର୍ଶଦାତା ଭାବେ ନିଜର ଦାୟିତ୍ୱ ତୁଲାଉଥିବା ମାନସ ରଂଜନ ମଙ୍ଗରାଜଙ୍କ ଦଳପ୍ରତି ନିଷ୍ଠା ଓ ଅନୁଗତ୍ୟ ଉପଲବ୍ଧିକରି ଦଳ ତାଙ୍କୁ ରାଜ୍ୟସଭା ପଠାଇ ସରପ୍ରାଇଜ ଦେଇଛି । ଅନ୍ୟପକ୍ଷେ ୪ର୍ଥ ଆସନ ଟିକୁ ପ୍ର।।ର୍ଥୀଭାବେ ଆଦିବାସୀ ନେତା ତଥା କିଛିଦିନ ପୂର୍ବେ ବିଜେଡିରେ ଯୋଗଦେଇଥିବା ନିରଞ୍ଜନ ବିଶିଙ୍କୁ ଦଳ ଭରସା କରିଛି । କିନ୍ତୁ ପୂର୍ବରୁ ଦକ୍ଷିଣ ଓଡ଼ିଶାର ୨ ପ୍ରମୁଖ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ବିଦାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଯେଉଁ ଆଲୋଚନା ଜାରି ରହିଥିଲା, ତାହାର ଭୁଲ ପ୍ରମାଣିତ ହୋଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଶାୟୀ ତାଲିକାରେ ଡଜନେରୁ ଅଧିକରୁ ନେତା ଥିଲେ। ବେଶ୍ ଚର୍ଚ୍ଚାରେ ଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି। ୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ପ୍ରଦୀପ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଦୀପଙ୍କ ବାପା ଭଗବାନଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ନବୀନ ମଧ୍ୟ ଗୁରୁତ୍ବକୁ ଉପଲବ୍ଧି କରି ଭାସ୍କର ରାଓଙ୍କ ପରେ ପ୍ରଦୀପଙ୍କୁ ସୁଯୋଗ ଦେବା ନେଇ ଦଳୀୟ ନେତା, କର୍ମୀ ଆଶାବାଦୀ ଥିଲେ। କିନ୍ତୁ କେଉଁ କାରଣ ପାଇଁ ଶେଷ ମୁହୂର୍ତ୍ତରେ ପ୍ରଦୀପଙ୍କୁ ବିଜେଡି ବାଦ୍ ଦେଲା, ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।
ସେହିଭଳି, ରାଜ୍ୟସଭା ସାଂସଦ ପଦ ପାଇଁ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଆଲୋଚନା ଜାରି ରହିଥିଲା। ଗତ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡା. ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନେଇ ଡା. ଚ୍ୟାଉପଟ୍ଟନାୟକ ବି ବେଶ୍ ଆଶାବାଦୀ ରହିଥିଲେ। ଆଜିର ଘୋଷଣା ପରେ ଡା. ଚ୍ୟାଉପଟ୍ଟନାୟକ ଏବଂ ତାଙ୍କ ସମର୍ଥକ ମାନେ ନିରାଶ ହୋଇପଡିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଡା. ଚ୍ୟାଉପଟ୍ଟନାୟକ ସ୍ବାଗତ କରିଥିଲେ ହେଁ ତାଙ୍କ ସମର୍ଥକ ମାନେ ଦଳର ନିଷ୍ପତ୍ତିକୁ ପ୍ରତିବାଦ ନକଲେ ବି ଭାଙ୍ଗି ପଡିଛନ୍ତି।