ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଥର ଆଉ କଥା ନୁହେଁ କି ଚେତାବନୀ ନୁହେଁ, ବିଏମସି ସିଧା ଆକ୍ସନ ମୁଡକୁ ଆସିଛି । ସହରର ପରିବେଶକୁ ଅସୁନ୍ଦର କରି କାନ୍ଥ-ବାଡରେ ପୋଷ୍ଟର ଲଗାଉଥିବା ସଂସ୍ଥା ବିରୋଧରେ ଏତଲା ଦାୟର କରିଛି । ନିୟମ ଭାଙ୍ଗି ରାଜଧାନୀର କାନ୍ଥରେ ପୋଷ୍ଟର ଲଗାଇବାରୁ ବିଏମସି ପକ୍ଷରୁ ବିଭିନ୍ନ ଥାନାରେ ଏକାଧିକ ଏତଲା ଦାୟର ହୋଇଛି । ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥ ଓ ଗଛରେ ପୋଷ୍ଟର ଲଗାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୂର୍ବରୁ ବିଏମସି ସଚେତନ କରାଇଥିଲା ।
ସୂଚନା ଅନୁସାରେ, ସ୍ମାର୍ଟସିଟିକୁ ପୋଷ୍ଟର ମୁକ୍ତ କରିବା, ମେକ ଇନ ଓଡ଼ିଶା ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଏମସି ରାଜଧାନୀର ସୌନ୍ଦର୍ଯ୍ୟକରଣକୁ ପ୍ରାଧାନ୍ୟ ଦେଉଛି । ଏହି ପରିପ୍ରେକ୍ଷୀରେ ବିଏମସି ସହରକୁ ପୋଷ୍ଟର ମୁକ୍ତ କରିବାକୁ ଘୋଷଣା କରିଛି । ଲୋକଙ୍କୁ ସଚେତନ କରିବା ସହ ଚେତାବନୀ ମଧ୍ୟ ଦେଇଥିଲା । ପରେ ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଇଥିଲା । ଏପରିକି ଆଗକୁ ଜୋରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଲୋକଙ୍କୁ ଅବଗତ କରାଯାଇଥିଲା ।
ହେଲେ କିଛି ଅସାଧୁ ଲୋକ ଏହି ନିୟମକୁ ବେଖାତିର କରି ବାରମ୍ବାର ପୋଷ୍ଟର ଲଗାଇ ଚାଲିଛନ୍ତି । ଯେଉଁମାନେ ନିୟମ ଖିଲାପ କରି ପୋଷ୍ଟର ମାରିଛନ୍ତି, ସେମାନଙ୍କ ଉପରେ ବିଏମସି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି । ଗତକାଲି ରାଜଧାନୀର ବିଭିନ୍ନ ଥାନାରେ ଏକାଧିକ ଏତଲା ଦାୟର କରାଯାଇଛି । ପୋଲିସ ଉକ୍ତ ଏତଲାକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।