କ୍ୟାନସର୍ ପୀଡିତା ବିଦୁଲତାଙ୍କୁ ମିଳିଲା ଉଚ୍ଚମାନର ଚିକିତ୍ସା, ଗଣମାଧ୍ୟମରୁ ଜାଣିବା ପରେ ସାହାଯ୍ୟର ହାତ ବଢାଇଲା BSKY ଟିମ୍
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ଗ୍ରାମବାସୀ ବିଦୁଲତା ସାମନ୍ତରାୟଙ୍କୁ ଉଚ୍ଚମାନର ଚିକିତ୍ସା ସହ ବି.ଏସ୍.କେ.ୱାଇ. କାର୍ଡ଼ ମିଳିଛି। ବିଦୁଲତାଙ୍କର ଚିକିତ୍ସାରେ ଅର୍ଥାଭାବ ପ୍ରତିବନ୍ଧକ ସମ୍ବନ୍ଧୀୟ ଖବର ଗଣମାଧ୍ୟମରୁ ଜାଣିବା ପରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ତାଙ୍କର ସହାୟତା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱତନ୍ତ୍ର ହେଲଥ ଟିମ୍ ବିଦୁଲତାଙ୍କ ଘରକୁ ଯାଇ ତାଙ୍କର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ଅନୁସନ୍ଧାନରୁ ଜଣାପଡିଥିଲା ଯେ, ସ୍ୱର୍ଗତ ଶରତ ସାମନ୍ତରାୟଙ୍କ ପତ୍ନୀ ବିଦୁଲତା କର୍କଟ ରୋଗରେ ପୀଡିତ ଥିଲେ।
ଇତିମଧ୍ୟରେ ତାଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନ୍ସର ଗବେଷଣା ପ୍ରତିଷ୍ଠାନରେ ଚିକିତ୍ସା ଦିଆଯାଇଛି। ତାଙ୍କର ଆବଶ୍ୟକୀୟ ଅପରେସନ୍ ହୋଇଛି ଏବଂ ତାଙ୍କୁ କେମୋଥେରାପି ଦିଆଯାଇଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି। ବିଦୁଲତାଙ୍କୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି। ଏହି କାର୍ଡରେ ସେ କିପରି ଓ କି କି ସୁବିଧା ପାଇପାରିବେ ସେ ବିଷୟରେ ହେଲଥ ଟିମ୍ ତାଙ୍କୁ ଭଲ ଭାବରେ ବୁଝାଇ ଦେଇଛନ୍ତି। ବି.ଏସ୍.କେ.ୱାଇ. କାର୍ଡ ମାଧ୍ୟମରେ ବିଦୁଲତା ତାଲିକା ଅନ୍ତର୍ଭୁକ୍ତ ଯେ କୌଣସି ସୁପର ସ୍ପେସାଲିଟି ଘରୋଇ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇପାରିବେ।
ଆବଶ୍ୟକ ହେଲେ ୧୦୪ କୁ ଫୋନ୍ କରି ତାଲିକାଭୁକ୍ତ ଘରୋଇ ହସ୍ପିଟାଲ୍ ଆଡମିଶନରେ ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଛି । ଏହାଛଡା, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ବା ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା କେନ୍ଦ୍ରକୁ ଜରୁରୀ ଚିକିତ୍ସା ପାଇଁ ଯିବା ନିମନ୍ତେ ଆବଶ୍ୟକ ହେଲେ, ସେ କିପରି ସରକାରୀ ଆମ୍ବୁଲାନ୍ସ୍ ସେବା ପାଇପାରିବେ ସେ ବିଷୟରେ ମଧ୍ୟ ତାଙ୍କୁ ଅବଗତ କରାଯାଇଛି। ବିଦୁଲତାଙ୍କ ଭଳି ଜଣେ ଗରିବ ଶ୍ରେଣୀର ମହିଳାଙ୍କ ପାଇଁ ଉଚ୍ଚମାନର ଚିକିତ୍ସା ସହ ବି.ଏସ୍.କେ.ୱାଇ. ବ୍ୟବସ୍ଥା କରାଯାଇଥିବାରୁ ସ୍ଥାନୀୟ ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି ।