ପାନୀୟ ଜଳ ସଂକଟ ଓ ବିଦ୍ୟୁତ ଖାଉଟୀଙ୍କ ହନ୍ତସନ୍ତ କିନ୍ତୁ ୫ଟି କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟ ସମସ୍ୟା ସମାଧାନ କ୍ଷେତ୍ରରେ ବିଫଳ ସରକାର ୫ଟି ନାଁରେ ପ୍ରହେଳିକା ସୃଷ୍ଟି କରୁଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଦୁଇ ପ୍ରମୁଖ ସମସ୍ୟା ପାନୀୟ ଜଳ ସଂକଟ ଓ ବିଦ୍ୟୁତ ଖାଉଟୀଙ୍କ ହନ୍ତସନ୍ତ ପ୍ରସଙ୍ଗରେ ସୂଚନା ଦେଇ ସଭାପତି ଶରତ ପଟ୍ଟନାୟକ ଦର୍ଶାଇଥିଲେ ଯେ ଓଡ଼ିଶାର ଅର୍ଦ୍ଧେକ ଅର୍ଥାତ ୧୫ ଟି ଜିଲ୍ଲାରେ ୪୦.୫% ଲୋକ ସ୍ୱଚ୍ଛ ପାନୀୟ ଜଳ ପାଇବାର ବଂଚିତ । ଆତ୍ମଶକ୍ତି ତଥା ଓଡ଼ିଶା ଶ୍ରମଜୀବି ଓ ମହିଳା ଓ ମହିଳା ଶ୍ରମଜୀବି ସଂଗଠନର ମିଳିତ ଉଦ୍ୟମରେ ପ୍ରସ୍ତୁତ ରିପୋର୍ଟରୁ ଏହା ଜଣାପଡ଼ିଛି । ଏହି ୧୫ ଟି ଜିଲ୍ଲା ମଧ୍ୟରେ ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁନ୍ଦରଗଡ଼, ଗଜପତି ତଥା ଦେଓଗଡ଼ ଆଦି ଜିଲ୍ଲା ସାମିଲ ଅଛି ।

ଅନୁରୂପ ଭାବରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ୱେ ଅଘୋଷିତ ବିଦ୍ୟୁତକାଟ କରାଯାଉଛି । ଭୋଲଟେଜ ଲୋ ରହୁଛି ଓ ବିଜୁଳି ଉପଭୋକ୍ତା ଯନ୍ତ୍ରଣାରେ ଷଡ଼ୁଛନ୍ତି । ଦ୍ୱିତୀୟରେ ଓଡ଼ିଶା କୋଲ ଓ ପାୱାର କମ୍ପାନୀ (ଓସିପିଲ) ଆଇନ ତଥା କେନ୍ଦ୍ରୀୟ ନିର୍ଦ୍ଦେଶନାମା ଫାଙ୍କି ବ୍ୟବସାୟୀଙ୍କ ଉଦ୍ଦେଶ୍ୟରେ କୋଇଲା ଉତୋଳନ କରୁଛନ୍ତି ଓ ବିକ୍ରି କରି ୪୭୯ କୋଟି ଟଙ୍କା ଲାଭ ଉଠାଇବା ବେଳେ ଖାଉଟୀମାନେ ଅଧିକ ଦରରେ ତଣ୍ଡ ଗଣୁଛନ୍ତି । ନବୀନବାବୁ ସବୁ ଦେଖି ଆଖି ବୁଜି ଦେଇଛନ୍ତି । ଏହାଠାରୁ ବଳି ଅପରାଧ କ’ଣ ହୋଇପାରେ ବୋଲି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ନବନଯୁକ୍ତ ପ୍ରଚାର ବିଭାଗର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ଉଦ୍‌ବୋଧନ ଦେଇ ୫ଟି ଶାସନ ନାଁରେ ପ୍ରହସନ ଚାଲିଛି ବୋଲି କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, କେବଳ ମିଥ୍ୟା ଆଉ ମିଥ୍ୟାକୁ ନେଇ ସରକାର ଚାଲିଛି । ମିଥ୍ୟା ବନାମ ବାସ୍ତବତା ପ୍ରସଙ୍ଗ ଉଠାଇ ୫ଟିର ବାଖ୍ୟାତ୍ମକ ବର୍ଣ୍ଣନା ସହ ୫ ଗୋଟି ଉଦାହରଣ ଦେଇଛନ୍ତି । ଶ୍ରୀଯୁକ୍ତ ବିଜୟ ପଟ୍ଟନାୟକ ମତରେ ପ୍ରଥମ ଟି ସ୍ୱଚ୍ଛତାର ଡିଣ୍ଡିମ ପିଟୁଛି ଅର୍ଥାତ ପାନୀୟ ଜଳ ପ୍ରକଳ୍ପ ଓ ଉପଲବ୍‌ଧି ସଂକ୍ରାନ୍ତରେ ପ୍ରଶ୍ନ କଲ ‘ତଥ୍ୟ ସଂଗ୍ରହ କରାଯାଇଛି’ ବୋଲି ଉତର ମିଳୁଛି । ଦ୍ୱିତୀୟ ‘ଟି’ ସମୟ ସୀମା ମଧ୍ୟରେ ନିର୍ମାଣ ଶେଷର ନାଗରା ବଜାଉଛନ୍ତି ଅଥଚ ହକି ଷ୍ଟାଡିଅମକୁ ଛାଡ଼ି ଦେଲେ ଆଉ ସବୁ ଅତ୍ୟାବଶକୀୟ ପ୍ରକଳ୍ପ ଦୀର୍ଘ ସମୟଧରି ପଡ଼ିରହୁଛି । ତୃତୀୟ ‘ଟି’ ଜ୍ଞାନ କୌଶଳର ଉପଯୋଗିତାର ଘୋଷଣା କରୁଛି ଅଥଚ ନବରଙ୍ଗପୁରର ବୟୋବୃଦ୍ଧା ବାର୍ଦ୍ଧକ୍ୟ ଭତା ପାଇଁ ଚୌକିକୁ ଆଶାବାଡ଼ି କରି ବ୍ୟାଙ୍କ ଧାଉଁଛି । କାହିଁକି ତା ଘରେ ଭତା ମିଳୁନାହିଁ ।

ଚତୁର୍ଥ ‘ଟି’ ରୂପାନ୍ତରଣର କଥା କୁହେ, କିନ୍ତୁ ଏହା କେବଳ ବାହ୍ୟ ରୂପାନ୍ତରେ ସୀମିତ । ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷକ ବା ଚିକିତ୍ସାଳୟରେ ଡାକ୍ତର ନଥିବାରୁ ଏହି ରୂପାନ୍ତରୀକରଣ ଅର୍ଥହୀନ ହୋଇପଡ଼ିଛି । ପଂଚମ ‘ଟି’ ଟିମ୍ ୱାର୍କର ବିଜ୍ଞାପନ ହେଉଛି କିନ୍ତୁ ଏହା ବାସ୍ତବରେ ରାଜ୍ୟବାସୀ ନୁହଁନ୍ତି ସରକାରୀ ଦଳର ସ୍ୱାର୍ଥପାଇଁ ସରକାରୀ ଦଳର ଦୁରୁପଯୋଗ କରାଯାଉଛି । ଦଳ ସମୃଦ୍ଧ ହେଉଛି ରାଜ୍ୟ ଦରିଦ୍ର ହେଉଛି । ସବୁ ନୀତି, ନିୟମକୁ ଜଳାଞ୍ଜଳି ଦିଆଯାଉଛି ।

ବିଜୟ ପଟ୍ଟନାୟକ ତାଙ୍କ ନିଯୁକ୍ତି ପାଇଁ କଂଗ୍ରେସ ସଭାପତି ମଲିକାର୍ଜ୍ଜୁନ ଖଡ଼ଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୃତଜ୍ଞତା ଦେଇଥିଲେ କଂଗ୍ରେସ ରାଜ୍ୟରେ ରାଜ୍ୟବାସୀଙ୍କ ନିରନ୍ତର ପ୍ରୟାସ କରିଆସୁଛି ଓ ୨୦୨୪ ରେ ପୁନଃ କ୍ଷମତାକୁ ଆସିବା ପାଇଁ ବିଜେଡ଼ିର କୁ ଶାସନକୁ ଆୟୁଧ କରିବ ବୋଲି ଦୃଢ଼ୋକ୍ତି କରିଥିଲେ । ପୂର୍ବତନ ମନ୍ତ୍ରୀ ତଥା ପିସିସି ମିଡ଼ିଆ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏହି ସାମ୍ବାଦିକ ସମ୍ମିଳନୀରେ ପୌରହିତ୍ୟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.