ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ଘରୋଇ କମ୍ପାନିଙ୍କୁ ସୁଯୋଗ ପାଇଁ ମିଳିଲା କ୍ୟାବିନେଟ୍ ମଞ୍ଜୁରି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାକାଶ କ୍ଷେତ୍ରରେ ଅଂଶଗ୍ରହଣ ପାଇଁ ଘରୋଇ କମ୍ପାନିଙ୍କୁ ସୁଯୋଗ ପାଇଁ ମିଳିଲା କ୍ୟାବିନେଟ୍ ମଞ୍ଜୁରି । ଗୁରୁବାର ଦିନ କେନ୍ଦ୍ରୀୟ କ୍ୟାବିନେଟ୍‌ ଭାରତୀୟ ମହାକାଶ ନୀତି ୨୦୨୩କୁ ଅନୁମୋଦନ କରିଛି। ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନିଗୁଡ଼ିକୁ ଅଂଶ ଗ୍ରହଣ କରିବା ଲାଗି ଏହି ନୀତିରେ ସ୍ବୀକୃତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତ‌ାରେ ଅନୁଷ୍ଠିତ ‘କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି’ ଏହି ‘ଭାରତୀୟ ମହାକାଶ ନୀତି’କୁ ଅନୁମୋଦନ କରିଛି। ମହାକାଶ କ୍ଷେତ୍ରରେ ଘରୋଇ ସେକ୍ଟର୍‌ର ପ୍ରବେଶ ଘଟିଲେ ‘ଇସ୍ରୋ’ ଅତ୍ୟାଧୁନିକ ମହାକାଶ ପ୍ରଯୁକ୍ତି ସଂକ୍ରାନ୍ତ ଗବେଷଣା ଓ ବିକାଶ ଉପରେ ଅଧିକ ଧ୍ୟାନ ନିବେଶ କରିପାରିବ। ଏହାଛଡ଼ା, ଏହି ମହାକାଶ ନୀତିରେ ‘ଇସ୍ରୋ’, ମହାକାଶ କ୍ଷେତ୍ରର ‘ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌’ ‘ନିୟୁସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌’ (ଏନ୍‌ଏସ୍‌ଆଇଏଲ୍‌) ଏବଂ ‘ନ୍ୟାସ୍‌ନାଲ୍‌ ସ୍ପେସ୍‌ ପ୍ରମୋସନ୍‌ ଆଣ୍ଡ୍‌ ଅଥରାଇଜେସନ୍‌ ସେଣ୍ଟର୍‌’ର (ଇନ୍‌-ସ୍ପେସ୍‌) ଭୂମିକା ଓ ଦାୟିତ୍ବ ପ୍ରସଙ୍ଗ ଉଲ୍ଲେଖ କରାଯାଇଛି।  ଏନେଇ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିବା ବେଳେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ସଂକ୍ଷିପ୍ତରେ କହିବାକୁ ଗଲେ ‘ଭାରତୀୟ ମହାକାଶ ନୀତି’ ‘କମ୍ପୋନେଟ୍‌ସ୍‌ ସେଟ୍‌ଅପ୍‌’ର ଭୂମିକା ସୁସ୍ପଷ୍ଟ କରିବ। କୃତ୍ରିମ ଉପଗ୍ରହ, ରକେଟ୍‌ ଏବଂ ଉତ୍‌କ୍ଷେପଣ ଯାନ ନିର୍ମାଣ, ତଥ୍ୟାବଳି ସଂଗ୍ରହ ଓ ସୂଚନା ପ୍ରସାରଣ ଭଳି ମହାକାଶ ବ୍ୟାପାରରେ ଅଂଶ ଗ୍ରହଣ କରିବା ଲାଗି ଏହି ନୀତି ଘରୋଇ ସେକ୍ଟର୍‌କୁ ଅନୁମତି ପ୍ରଦାନ କରିବ ବୋଲି ସିଂହ କହିଛନ୍ତି। ‘ଇସ୍ରୋ’ର ଅଧ୍ୟକ୍ଷ ଏସ୍. ସୋମନାଥ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ମହାକାଶ ନୀତିର ମୁଖ୍ୟ ଲକ୍ଷ୍ୟ ହେଉଛି ମହାକାଶ କ୍ଷେତ୍ରରେ ଘରୋଇ ପ୍ରତିଷ୍ଠାନଗୁଡ଼ିକର ଅଂଶ ଗ୍ରହଣ ବୃଦ୍ଧି କରିବ।

ତେବେ କହିରଖେ କି,  ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ହେଉଛି ଭାରତ ସରକାରଙ୍କ ପ୍ରମୁଖ ମହାକାଶ ପ୍ରାଧିକରଣ । ଏହା ପୃଥିବୀର ଛଅଟି ବଡ଼ ସରକାରୀ ମହାକାଶ ପ୍ରାଧିକରଣ ମଧ୍ୟରୁ ଅନ୍ୟତମ ଯଥା: ଆମେରିକାର ନାସା (NASA), ଋଷିଆର RKA, ଇଉରୋପର ଇସା (ESA), ଚୀନର ସିନସଏ (CNSA) ଓ ଜାପାନର JAXA । ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ହେଲା – ମହାକାଶ ତଥା ଗ୍ରହଜଗତ ସମ୍ବନ୍ଧରେ ତାତ୍ତ୍ୱିକ ଗବେଷଣା, ଅତ୍ୟାଧୁନିକ ମହାକାଶୀୟ ପ୍ରଯୁକ୍ତି ବିଦ୍ୟାର ଉନ୍ନତିକରଣ ଓ ଦେଶର ଉନ୍ନତିରେ ମହାକାଶର ପ୍ରୟୋଗ । ଏହା ୧୯୬୯ରେ ପ୍ରତିଷ୍ଠା ହୋଇଥିଲା । ଭାରତୀୟ ରାଷ୍ଟ୍ରୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସମିତି (INCOSPAR) ବଦଳରେ ସ୍ଥାପିତ ହୋଇଥିଲା । ଇସ୍ରୋ ମୁଖ୍ୟ କାର୍ଯାଳୟ ବାଙ୍ଗାଲୋରଠାରେ ଅବସ୍ଥିତ । ଏହା ଭାରତ ସରକାରଙ୍କ ମହାକାଶ ବିଭାଗ ଅନ୍ତର୍ଗତ ଅଟେ, ଯାହାକି ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରୁଅଛି । ଇସ୍ରୋକୁ ପ୍ରତିଷ୍ଠା କରିବାରେ ଡକ୍ଟର ବିକ୍ରମ ଅମ୍ବାଲାଲ୍ ସରାଭାଇ‍ଙ୍କର ଉଲ୍ଲେଖନୀୟ ଯୋଗଦାନ ଓ ଆପ୍ରାଣ ପ୍ରଚେଷ୍ଟା ଯୋଁଗୁ ତାଙ୍କୁ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଏ । ଭାରତର ପ୍ରଥମ କୃତ୍ରିମ ଉପଗ୍ରହ “ଆର୍ଯ୍ୟଭଟ୍ଟ” ଇସ୍ରୋଦ୍ୱାରା ପ୍ରସ୍ତୁତ ହୋଇଥିଲା ଓ ନିଜସ୍ୱ ଉତକ୍ଷେପଣଯାନ ଅଭାବରୁ ରୁଷିଆ ନିର୍ମିତ କୋସମୋସ-୩M ଯାନଦ୍ୱାରା ୧୯ ଏପ୍ରିଲ, ୧୯୭୫ ମସିହାରେ କପୁସ୍ତିନ ୟାର (kapustin yar)ରୁ ଉତକ୍ଷେପଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ମହାକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ ଇସ୍ରୋ ନିଜସ୍ୱ ଉତକ୍ଷେପଣଯାନ ନିର୍ମାଣ କାରିବାରେ ସମର୍ଥହେଲା । ବର୍ତ୍ତମାନ ଇସ୍ରୋଦ୍ୱାରା ନିର୍ମିତ ଏସଏଲଭି (SLV),ଏଏସଏଲଭି (ASLV), ପିଏଏଲଭି (PSLV) ଏବଂ ଜିଏଏଲଭି(GSLV) ଶ୍ରେଣୀର ଅନେକ ଉତକ୍ଷେପଣଯାନଦ୍ୱାରା ଶତାଧିକ କୃତ୍ରିମ ଉପଗ୍ରହ ମହାକାଶକୁ ସଫଳତାର ସହ ପ୍ରେରଣ କରାଯାଇପାରିଛି । ଏହାସହ ଏକାସଙ୍ଗେ ୧୦୪ଟି କୃତ୍ରିମ ଉପଗ୍ରହକୁ ବିଭିନ୍ନ କକ୍ଷରେ ପ୍ରତିସ୍ଥାପନ କରି ବିଶ୍ୱରେକର୍ଡ ଲାଭକାରିବାର ଗୌରବହାସଲ କରିଛି । ୫ ଜୁନ୍, ୨୦୧୭ରେ ଇସ୍ରୋ ୪ଟନ୍ ଓଜନ ବିଶିଷ୍ଟ GSAT-19 କୁତ୍ରିମ ଉପଗ୍ରହକୁ ଜିଏସଏଲଭି-ଏମକେ୩ (GSLV-Mk III)ଦ୍ୱାରା କକ୍ଷରେ ସ୍ଥାପନ କରିପାରିଲା।

ଅକ୍ଟୋବର ୨୨, ୨୦୦୮ରେ ଇସ୍ରୋ ଚନ୍ଦ୍ରକୁ ଏକ ମାନବହୀନ ମହାକାଶଯାନ ପ୍ରେରଣ କରିଥିଲା । ଏହା ନଭେମ୍ବର ୮, ୨୦୦୮ରେ ଚନ୍ଦ୍ର କକ୍ଷରେ ଅବସ୍ଥାବିତ ହୋଇଥିଲା । ତତ୍ପରେ ନଭେମ୍ବର ୫, ୨୦୧୩ରେ ଭାରତର ପ୍ରଥମ ଅର୍ନ୍ତଗ୍ରହ ଅଭିଯାନ ମଙ୍ଗଳ ଯାନ ଆରମ୍ଭ କରିଥିଲା । ସେପ୍ଟେମ୍ବର ୧୪, ୨୦୧୪ରେ ମଙ୍ଗଳଯାନକୁ ମଙ୍ଗଳ କକ୍ଷରେ ଅବସ୍ଥାବିତ କରିପାରିଲା । ଅତଏବ ଏହିକ୍ଷେତ୍ରରେ ଭାରତ (ଇସ୍ରୋ) ଚୀନ ଓ ଜାପାନକୁ ପଛରେ ପକାଇ ଏସିଆରେ ପ୍ରଥମ ଏବଂ ବିଶ୍ୱରେ ଚତୁର୍ଥ ସ୍ଥାନ ହାସଲ କାରିପାରିଥିଲା । ବିଗତ କିଛି ବର୍ଷରେ ଇସ୍ରୋ ୧୯୦ଟି ବିଦେଶୀ କୃତ୍ରିମ ଉପଗ୍ରହ ସଫଳତାର ସହ ପ୍ରକ୍ଷେପଣ କରି ବୈଦେଶିକ ମୁଦ୍ରା ବୃଦ୍ଧି କରିବାରେ ସମର୍ଥ ହୋଇଛି ଏବଂ ଆଗାମୀ ଦିନରେ ଏହା ଅଧିକ ହେବ ବୋଲି ଆଶା କରାଯାଉଛି । ଏହାକୁ ଦେଖାଶୁଣା କରିବା ପାଇଁ ଆଣ୍ଟ୍ରିକ୍ଷ୍ କର୍ପୋରେଶନ (Antrix Corporation) ନାମକ ଏକ ବ୍ୟବସାୟିକ ବିଭାଗର ଗଠନ କରାଯାଇଛି । ଇସ୍ରୋ ଭବିଷ୍ୟତ ପାଇଁ ଅନେକ କାର୍ଯ୍ୟକ୍ରମର ଯୋଜନା କରୁଅଛି । ତନ୍ନମଧ୍ୟରୁ ୟୁଏଲଭି (ULV), ପୁନ୍ନଃ-ବ୍ୟବହାରଯ୍ୟୋଗ୍ୟ (RLV), ମହାକାଶଚାରୀ ପ୍ରେରଣ, ମହାକାଶ ଷ୍ଟେସନ ନିର୍ମାଣ ଆଦି ଉଲ୍ଲେଖନୀୟ ।

Leave A Reply

Your email address will not be published.