ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ମନ୍ଦିର ସ୍ବତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ଆପତ୍ତି ଉଠାଇଛନ୍ତି।କେନ୍ଦ୍ରୀୟ ଆଇନର ବିରୋଧାଚରଣ କରୁଥିବା କହି ଆପତ୍ତି ଉଠାଇଲା ଗୃହ ମନ୍ତ୍ରାଳୟ।ଏଭଳି ଏକ ଅଧ୍ୟାଦେଶ ଆଣିବା ରାଜ୍ୟ ସରକାରଙ୍କ କ୍ଷମତା ପରିସର ନୁହଁ ବୋଲି କେନ୍ଦ୍ର କହିଛ। ତେବେ ଲିଙ୍ଗରାଜ ମନ୍ଦିର ଓ ଆଖପାଖରେ ଥିବା ଆଉ ୮ଟି ମନ୍ଦିରକୁ ଗୋଟିଏ ସ୍ୱତନ୍ତ୍ର ଆଇନ ପରିସରକୁ ଆଣିବା ଲାଗି ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଉପରେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି । ପ୍ରସ୍ତାବିତ ଅଧ୍ୟାଦେଶର ଅନେକ ଅଂଶ ବିଧାନସଭାର କ୍ଷମତା ପରିସରଭୁକ୍ତ ନୁହେଁ ବୋଲି କେନ୍ଦ୍ର କହିଥିବା ସୂଚନା ରହିଛି । ଏହାଫଳରେ କେନ୍ଦ୍ର ପ୍ରଣୀତ ଆଇନ ଓ ରାଜ୍ୟ ସରକାରଙ୍କ ଆଇନ ମଧ୍ୟରେ ବିଭେଦ ସୃଷ୍ଟି ହେବ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି ।
ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ କରିବାକୁ ଅଧ୍ୟାଦେଶ ଅଣାଯାଇ ରାଜ୍ୟପାଳଙ୍କ ପାଖକୁ ପଠା ଯାଇଥିଲା। ଏହାଦ୍ୱାରା ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ଓ ଆଖପାଖ ମନ୍ଦିରକୁ ଲିଙ୍ଗରାଜ ମନ୍ଦିର ପରିଚାଳନା ସମିତି ଅଧୀନକୁ ଆଣିଥାନ୍ତେ। ତେବେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଅଧ୍ୟାଦେଶର ଅନେକ ଅନେକ ଅଂଶ ଉପରେ ଆପତ୍ତି ଉଠାଇଥିଲେ।ଅଧ୍ୟାଦେଶଟି ପ୍ରାଚୀନ ଐତିହ୍ୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ଆଇନ-୧୯୫୮ର ପରିପନ୍ଥୀ ବୋଲି କେନ୍ଦ୍ର ସରକାର ଦର୍ଶାଇଛନ୍ତି । ସରକାର ଆହୁରି କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ପାଖରେ ନିର୍ମାଣ କାର୍ଯ୍ୟ କରି ସରକାର ଏହି ଆଇନର ଉଲ୍ଲଂଘନ କରିସାରିଛନ୍ତି । ଏହି ଆଇନ ଅନୁସାରେ ମନ୍ଦିରର ୧୦୦ ମିଟର ଅଞ୍ଚଳ ସୁରକ୍ଷିତ ଅଞ୍ଚଳ ଓ ଏଠାରେ କୌଣସି ନିର୍ମାଣ କାମ ହେବନି । ସେହିପରି ୨୦୦ ମିଟର ଅଞ୍ଚଳରେ କାମ କରିବାକୁ ହେଲେ ଅନୁମତି ଆଣିବାକୁ ହେବ। ଏଣୁ ରାଜ୍ୟ ସରକାରଙ୍କ ଅଧ୍ୟାଦେଶ ଏହାର ଉଲ୍ଲଂଘନ କରିବ ବୋଲି ସରକାର କହିଛନ୍ତି।
ରାଜ୍ୟ ସରକାର ଯେଉଁ ଅଧ୍ୟାଦେଶକୁ ଅନୁମୋଦନ ଦେଇଛନ୍ତି ଏହା ଅଧିନରେ ୩ଟି ବିଶାଳ ପୁଷ୍କରିଣୀ ଓ ୧୨ଟି କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ରହିଛି। ଏହା ଆମସାର ଆଇନ ୧୯୫୮ ଅନ୍ତର୍ଗତ ହୋଇଥିବାରୁ ରାଜ୍ୟ ସରକାର ଏହା ଉପରେ କୌଣସି ସ୍ୱତନ୍ତ୍ର ନିୟମ କରିପାରିବେ ନାହିଁ କେନ୍ଦ୍ର ପକ୍ଷରୁ କୁହାଯାଇଛି।