ରାଜ୍ୟରେ ଗୋ-ପାଳନର ବିକାଶ ହେବ ତ୍ବରାନ୍ବିତ,କୃତ୍ରିମ ପ୍ରଜନନ କାର୍ଯକ୍ରମର ଶୁଭାରମ୍ଭ କଲେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଅରୁଣ ସାହୁ
ଓଡିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଗୋ-ପାଳନର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ରାଜ୍ୟ ସରକାର ‘ଲିଙ୍ଗ ନିରୂପିତ ଶୁକ୍ରାଣୁ’ କାର୍ଯକ୍ରମ ଆରମ୍ଭ କରିଛନ୍ତି | ଆଜି ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଡ଼. ଅରୁଣ କୁମାର ସାହୁ ରାଜ୍ୟରେ ଲିଙ୍ଗ ନିରୂପିତ ଶୁକ୍ରାଣୁ (Sex Sorted Semen) ଦ୍ବାରା କୃତ୍ରିମ ପ୍ରଜନନ କାର୍ଯକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କୃଷି ଭବନ, ଭୁବନେଶ୍ବର ଠାରେ ଆୟୋଜିତ ଏକ କାର୍ଯକ୍ରମରେ ମାନ୍ୟବର ମନ୍ତ୍ରୀ କହିଥିଲେ ଯେ ଲିଙ୍ଗ ନିରୂପିତ ଶୁକ୍ରାଣୁ ଟେକ୍ନୋଲୋଜି ଦ୍ଵାରା ୯୦ ପ୍ରତିଶତ ପର୍ଯନ୍ତ ମାଈ ବାଛୁରୀ ଜନ୍ମ ହୋଇ ରାଜ୍ୟରେ ଦୁଗ୍ଧ ଉତ୍ପାଦନରେ ବୃଦ୍ଧି ଘଟିବ। ଗତ ଦୁଇ ଦଶକରେ ରାଜ୍ୟରେ ଗୋ-ପାଳନର ବିକାଶ ଚାଷୀ ମାନଙ୍କ ଆୟବୃଦ୍ଧି କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ରାଜ୍ୟ ସରକାର ସର୍ବଦା ଚାଷୀ ଓ ଗୋ-ପାଳକଙ୍କ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି।
ରାଜ୍ୟ ସରକାର ଏହି ଆନୁଷଙ୍ଗିକ କ୍ଷେତ୍ରକୁ ରାଜ୍ୟର ଚାଷୀ, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଓ ଉଦ୍ୟୋଗୀ ମାନଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଅଭିବୃଦ୍ଧି କ୍ଷେତ୍ର ରୂପେ ଚିହ୍ନଟ କରିଛନ୍ତି । ଗତ ଦୁଇ ଦଶକରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ Metric Ton ଥିବା ବେଳେ ୨୦୨୧ ମସିହାରେ ୨୩ ୭୩ ଲକ୍ଷ Metric Ton କୁ ବୃଦ୍ଧି ପାଇଛି। କୃତ୍ରିମ ପ୍ରଜନନ ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣକୁ ଏକ ମିଶନ ଭାବେ ଗ୍ରହଣ କରି ବାର୍ଷିକ ପ୍ରାୟ ୧୫ ଲକ୍ଷ ଗାଈଙ୍କୁ ମାଗଣାରେ କୃତ୍ରିମ ପ୍ରଜନନ କରାଯାଉଛି। ଗୋରୁଗାଈଙ୍କ ଫାଟୁଆ ରୋଗ ନିୟନ୍ତ୍ରଣ ପାଇଁ ଗୃହପାଳିତ ପ୍ରାଣୀଙ୍କ ଟିକାକରଣକୁ ଏକ ଅଭିଯାନ ଭାବେ ନିଆଯାଇ ବର୍ଷକୁ ଦୁଇ ଥର ଟିକାକରଣ କରାଯାଉଛି। ଉଚ୍ଚ ଅମଳ ସମ୍ପନ୍ନ ଋତୁକାଳୀନ ଓ ସବୁଦିନିଆ ଘାସ ଚାଷ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି।
ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଗୋପାଳକ ଏବଂ ଯୁବ ଉଦ୍ୟୋଗୀ ମାନଙ୍କୁ ନୂତନ ଡାଇରି ଫାର୍ମ ଓ ମିଲ୍କ ପ୍ରୋସେସିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି। ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ (ଓମଫେଡ଼) ମାଧ୍ୟମରେ ରାଜ୍ୟର ପ୍ରାୟ ୩,୭୦୦ ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ମୋଟ ୨ ଲକ୍ଷ ୬୩ ହଜାର ଗୋପାଳକ ସେମାନଙ୍କ ଉତ୍ପାଦିତ ଦୁଗ୍ଧର ବିକ୍ରୟ କରି ପାରୁଛନ୍ତି। ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ଷଣ୍ଢଙ୍କ ଶୁକ୍ରାଣୁ ବ୍ୟବହାର ମାଧ୍ୟମରେ ଗୋ-ପ୍ରଜାତିର ଉନ୍ନତିକରଣ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବାକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି।
ଲିଙ୍ଗ ନିରୂପିତ ହୋଇନଥିବା ସାଧାରଣ ଶୁକ୍ରାଣୁ ବ୍ୟବହାର କରି କୃତ୍ରିମ ପ୍ରଜନ କରାଯାଉଥିବା ଗାଈଙ୍କ ଠାରୁ ୫୦ ପ୍ରତିଶତ ଅଣ୍ଡିରା ଓ ୫୦ ପ୍ରତିଶତ ମାଈ ବାଛୁରି ଜନ୍ମ ହେବ ସମ୍ଭାବନା ଥାଏ। ଧରେ ଧୂରେ ଅଣ୍ଡିରା ବାଛୁରିଙ୍କ ଚାହିଦା କମୁଥିବାରୁ ଗୋପାଳକ ସେମାନଙ୍କୁ ବୁଲା ଗୋରୁ ଭାବେ ଛାଡିଦେଇଥାନ୍ତି ଓ ରାଜ୍ୟରେ ବୁଲା ଗୋରୁଙ୍କ ସଂଖ୍ୟାଘଟିଥାଏ। ଲିଙ୍ଗ ନିରୂପିତ ଶୁକ୍ରାଣୁ (ସେକ୍ସ ସର୍ଟେଡ୍ ସିମେନ)’ ଟେକ୍ନୋଲୋଜି ୯୦ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ ଜେନେଟିକ୍ କ୍ଷମତା ସମ୍ପନ୍ନ ମାଈ ବାଛୁରୀ ଜନ୍ମର ସମ୍ଭାବନାକୁ ବୃଦ୍ଧି କରିଥାଏ ଏବଂ ଏହା ଦ୍ଵାରା ଅଣ୍ଡିରା ବାଛୁରିଙ୍କ ସଂଖ୍ୟା ହ୍ରାସ ପାଇ ଗୋପାଳକଙ୍କ ଉପରେ ଅଣ୍ଡିରା ବାଛୁରି ପାଳନର ଭାର ହ୍ରାସ କରିଥାଏ।