ଅରୁଣାଚଳ ପ୍ରଦେଶର ୧୧ ସ୍ଥାନର ମନଇଚ୍ଛା ନାଁ ବଦଳାଇଲା ଚାଇନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୂର୍ବରୁ ଭାରତର ଅରୁଣାଚଳ ପ୍ରଦେଶକୁ ନିଜର ବୋଲି କହି ଆସୁଥିବା ଚାଇନା ଏଥର ଅରୁଣାଚଳ ପ୍ରଦେଶର ୧୧ ସ୍ଥାନର ମନଇଚ୍ଛା ନାଁ ବଦଳାଇଛି । ଅରୁଣାଚଳ ପ୍ରଦେଶକୁ ଜାଙ୍ଗନାନ ଭାବେ ବିବେଚନା କରୁଥିବା ଚାଇନା ଏହି ଅଞ୍ଚଳଗୁଡ଼ିକୁ ଦକ୍ଷିଣ ତିବ୍ଦତର ଅଂଶବିଶେଷ ଭାବେ ଗଣନା କରିଛି । ଚାଇନାର ସାମାଜିକ ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଜାରି ରିଲିଜ୍‌ରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଯିବା ସମ୍ପର୍କରେ ତଥ୍ୟ ରହିଛି। ଚାଇନା କ୍ୟାବିନେଟ ଭୌଗଳିକ ନାଁ ଗୁଡ଼ିକ ଉପରେ ମୋହର ମାରିଥିବା ଏଥିରେ କୁହାଯାଇଛି। ଚାଇନିଜ, ତିବ୍ଦତୀୟ ଓ ପିନୟିନ ଅନୁସାରେ ନାଁ ଗୁଡ଼ିକର ପରିବର୍ତ୍ତନ କରାଯାଇଛି । ତାଲିକା ଅନୁସାରେ ଅରୁଣାଚଳ ପ୍ରଦେଶର ୨ଟି ସ୍ଥାନ, ଦୁଇଟି ଆବାସିକ ଅଞ୍ଚଳ, ୫ଟି ପାହାଡ଼ ଓ ୨ଟି ନଦୀର ନାୱ ବଦଳା ଯାଇଛି । ଏହା ସହ ଜଡ଼ିତ ପ୍ରଶାସନିକ ଜିଲ୍ଲାର ନାଁକୁ ମଧ୍ୟ ଚାଇନା ବଦଳାଇ ଦେଇଛି। ଚାଇନା ସରକାର ତୃତୀୟ ଥର ପାଇଁ ଅରୁଣାଚଳ ପ୍ରଦେଶର ବିଭିନ୍ନ ସ୍ଥାନର ନାଁ ବଦଳାଇଛନ୍ତି। ୨୦୧୭ରେ ଚାଇନା ୬ଟି ଓ ୨୦୨୧ରେ ୧୫ଟି ସ୍ଥାନର ନାଁ ବଦଳାଇଥିଲା। ପୂର୍ବଥର ଗୁଡ଼ିକ ଭଳି ଭାରତ ସରକାରଙ୍କ ଏପରି ମନଇଚ୍ଛା କାମକୁ ନିନ୍ଦା କରିଛନ୍ତି। ଅରୁଣାଚଳ ପ୍ରଦେଶ ସବୁବେଳେ ଭାରତର ଆଭ୍ୟନ୍ତରୀଣ ଅଂଶ ହୋଇ ରହି ଆସିଛି। ଏକତରଫା ଭାବେ ଅରୁଣାଚଳ ପ୍ରଦେଶରେ ଥିବା ବିଭିନ୍ନ ସ୍ଥାନର ନାଁ ବଦଳାଇ ଦେଲେ ତଥ୍ୟ ବଦଳି ଯିବନି ବୋଲି ଭାରତ କହିଛି।  ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, “ଚାଇନା ପ୍ରଥମଥର ଏପରି ନାଁ ବଦଳାଇବା କାମ କରନି। ପୂର୍ବଥର ଗୁଡ଼ିକ ଭଳି ଏଥର ମଧ୍ୟ ଆମେ ଏପରି ପଦକ୍ଷେପକୁ ଅଗ୍ରାହ୍ୟ ଓ ନିନ୍ଦା କରୁଛୁ। ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଓ ଅବିଚ୍ଛେଦ୍ୟ ଅଙ୍ଗ। କେବଳ ନାଁ ବଦଳାଇ ଦେଲେ ଏହି ବାସ୍ତବ ସତ୍ୟ କେବେ ବଦଳିବ ନାହିଁ।”

ପୂର୍ବରୁ ଅରୁଣାଚଳ ପ୍ରଦେଶର ତାୱଙ୍ଗ ସେକ୍ଟରରେ ବଦମାସୀ କରିଥିଲା ଚୀନ। ଭାରତୀୟ ସେନା ଏହାର କଡ଼ା ଯବାବ ଦେଇଥିଲା, ମୁହାଁମୁହିଁ ହୋଇଥିଲେ ଉଭୟ ସେନା। ଧସ୍ତାଧସ୍ତି ମଧ୍ୟରେ ଉଭୟ ପକ୍ଷର କିଛି ସୈନିକ ଆହତ ହୋଇଥିଲେ । ଏଥିରେ ପ୍ରାୟ ୩୦ ଜଣ ସୈନ୍ୟ ଆହତ ହୋଇଥିଲେ । ଏହି ଘଟଣା ପରେ ଉଭୟ ପକ୍ଷର କମାଣ୍ଡରସ୍ତରୀୟ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । କମାଣ୍ଡରସ୍ତରୀୟ ବୈଠକ ପରେ ଉଭୟ ପକ୍ଷର ସୈନ୍ୟଙ୍କୁ ହଟାଇ ନିଆଯାଇଥିଲା । କାହିଁକି ଚୀନ୍‌ ସୈନିକମାନଙ୍କ ଏଭଳି ଆଚରଣ ଦେଖାଉଛି ତାକୁ ନେଇ ପ୍ରଶ୍ନ ଉଠିଥିଲା । କ’ଣ ଚାହୁଁଛି ଚୀନ୍ । ଗୋଟିଏ ପଟେ ଗଲୱାନ୍‌ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ତୁ ତୁ ମେଁ ମେଁ, ଏଯାଏଁ ସମାଧାନ ହୋଇନଥିବା ବେଳେ, ଏବେ ଆସାମ ସୀମାରେ ଚୀନର ଏଭଳି ଆଚରଣ ନାନା ପ୍ରଶ୍ନ ସୃଷ୍ଟି କରିଥିଲା ।  ସୂଚନାଯୋଗ୍ୟ, ଜୁନ୍‌ ୨୦୨୨ରେ ଲଦାଖର ଗଲୱାନରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହେବା ପରେ ୨୦ ଭାରତୀୟ ଯବାନଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ଅଗଷ୍ଟରେ ଲଦାଖର ପଙ୍ଗୋଙ୍ଗ୍‌ ହ୍ରଦଠାରେ ଭାରତ ଓ ଚାଇନା ସେନା ମଧ୍ୟରେ ଅନୁରୂପ ମୁଥ ମରାମରି ହୋଇଥିଲା। ସାମରିକ ପ୍ରୋଟୋକଲ୍‌ ଅନୁଯାୟୀ ଯବାନମାନେ ଆପୋସ ବୁଝାମଣାରେ ଏହାର ସମାଧାନ କରିଥିଲେ। ଦୁଇଦେଶ ମଧ୍ୟରେ ସୀମାକୁ ନେଇ ବିବାଦ ରହିଛି। ଭାରତର କେତେକ ଅଞ୍ଚଳକୁ ଚାଇନା ନିଜର ବୋଲି ଦାବି କରିଆସୁଛି।

Leave A Reply

Your email address will not be published.