ଆସନ୍ତା ୨ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯିବାର ସମ୍ଭାବନା,ଓଡ଼ିଶାକୁ ନିବେଶ ପାଇଁ ବଡ଼ ଧରଣର ପୁଞ୍ଜି ଆଣିବାକୁ ଲକ୍ଷ୍ୟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁବାଇ ପରେ ଏବେ ଜାପାନ । ଆସନ୍ତା ୨ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତରେ ଯିବାର ସମ୍ଭାବନା ରହିଛି। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଯିବେ । ଜାପାନରୁ ଓଡ଼ିଶାକୁ ନିବେଶ ପାଇଁ ବଡ଼ ଧରଣର ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏହି ଗସ୍ତରେ ସପ୍ତାହେରୁ ଅଧିକ ଦିନ ରହିବେ ମୁଖ୍ୟମନ୍ତ୍ରୀ । ବିଜିନେସ ଟାଇକୁନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ କ୍ଷେତ୍ରରେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ସେମାନଙ୍କୁ ନିମନ୍ତ୍ରଣ କରିବେ। ଜାପାନରେ ଅଧିକ ଟେକ୍ନୋଲୋଜି ଭିତ୍ତିକ ଶିଳ୍ପ ରହିଛି। ବିଦେଶରୁ ଅଧିକ ପୁଞ୍ଜି ଆଣିବାରେ ଦେଶର ୩ଟି ରାଜ୍ୟ ଆଗରେ ଅଛନ୍ତି । ତା ଭିତରେ ଓଡ଼ିଶା ଅନ୍ୟତମ। ପୁଞ୍ଜିନିବେଶ ପାଇଁ ଏବେ ପ୍ରତିଯୋଗିତା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେଉଛନ୍ତି।
ପୁଞ୍ଜିନିବେଶ କ୍ଷେତ୍ରରେ ଜାତୀୟ ହାର ଠାରୁ ଆଗରେ ଓଡ଼ିଶା । ଦେଶରେ ପୁଞ୍ଜିନିବେଶ ହାର ୨୨ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୪୫ ପ୍ରତିଶତ ରହିଛି। ଏଭିତରେ ତିନିଟି ମେକ୍ ଇନ ଓଡ଼ିଶା କନକ୍ଲେଭ ରାଜ୍ୟ ସରକାର କରିଛନ୍ତି । ପ୍ରଥମ ଦୁଇଟି କନକ୍ଲେଭରେ ୬ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଆସିଥିଲା। ସେଥିରୁ ବିଭିନ୍ନ କ୍ଷେତ୍ରରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଭିତ୍ତି ପଡ଼ିଛି। ସେହିପରି ମେକ ଇନ ଓଡ଼ିଶା କନକ୍ଲେଭରେ ତୃତୀୟ ସଂସ୍କରଣରେ ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବ ଆସିଛି। ତେଣୁ ଓଡ଼ିଶାରେ ବିଦେଶୀ ପୁଞ୍ଜିନିବେଶ ଆସିବାରେ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ବେଶ ସହାୟକ ହେବ ବୋଲି କୁହାଯାଉଛି। ଜାପାନ ସହ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ନିବିଡ଼ ହେବାରେ ଲାଗିଛି। ପୂର୍ବରୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଜାପାନ ଇନଭେଷ୍ଟମେଣ୍ଟ ସେମିନାର୍ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତରୁ ବଡ଼ ନିବେଶ ଆଶା କରାଯାଉଛି । ଗତ ୨୨ ବର୍ଷ ଶାସନ ଭିତରେ ଏହା ମୁଖ୍ୟମନ୍ତ୍ରୀଙ୍କର ତୃତୀୟ ବିଦେଶ ଗସ୍ତ ହେବ ।
କିଛି ସପ୍ତାହ ତଳେ ଜାପାନ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବାଣିଜ୍ୟିକ ସମ୍ପର୍କ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପର୍ଯ୍ୟଟନ, ସାମୁଦ୍ରିକ ଖାଦ୍ୟ, ହୋଟେଲ, ପୋଷାକ ଓ ଧାତବ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଜାପାନ ପୁଞ୍ଜିନିବେଶ କରିବା ସମ୍ଭାବନା ରହିଛି । ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ପାଇଁ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି । ପ୍ରାୟ ୧୦ ଲକ୍ଷ କୋଟିରୁ ଅଧିକ ନିବେଶ ପାଇଁ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ନିବେଶ ପାଇଁ ମେକ୍ ଇନ୍ ଓଡ଼ିଶା ପ୍ରମୁଖ ମାଧ୍ୟମ ।