ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ପବିତ୍ର ବିଶ୍ବକର୍ମା ପୂଜା। ଆଜିର ଦିନରେ ପ୍ରଭୃ ବିଶ୍ବକର୍ମାଙ୍କୁ ପୂଜା କରାଯାଉଛି। ବିଶେଷ ଭାବେ ବିଶ୍ବକର୍ମା ନିର୍ମାଣ ଦେବତା ହୋଇଥିବାରୁ ଶିଳ୍ପ ଅନୁଷ୍ଠାନରେ ଏହି ପୂଜା ବେଶ ଧୂମଧାମରେ ପାଳିତ ହେଉଛି। ବିଶେଷ କରି ଶିଳ୍ପ କାରଖାନା ମାନଙ୍କରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯାଉଛି । ଦେବଶିଳ୍ପୀ ବିଶ୍ବକର୍ମା ସକଳ ଶିଳ୍ପକଳାର ଜନକ । ସେଥିପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କରେ କନ୍ୟା ସଂକ୍ରାନ୍ତିରେ ବିଶ୍ୱକର୍ମା ପୂଜା କରାଯାଏ। ବଢ଼େଇ, ନିର୍ମାତା ଓ କାରିଗରମାନେ ନିଜ ନିଜ ଘରେ ବିଶ୍ୱକର୍ମାଙ୍କୁ ଏ ଅବସରରେ ପୂଜା କରନ୍ତି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରପାତିକୁ ଶୁଦ୍ଧପୁତ କରି ଏହି ଦିନ ପୂଜା କରାଯାଏ। ସେଥିପାଇଁ ବିଶ୍ୱକର୍ମା ପୂଜା ଉପଲକ୍ଷେ ଯାନ୍ତ୍ରିକ କାର୍ଯ୍ୟ ବନ୍ଦ ଥାଏ । ଏହାଛଡା ବିଭିନ୍ନ ଶିଳ୍ପାଞ୍ଚଳ, ଗ୍ୟାରେଜ, ଦୋକାନ, ଇଲେକ୍ଟ୍ରି ଅଫିସ୍ ଗୁଡିକରେ ଧୁମଧାମରେ ପୂଜାର୍ଚ୍ଚନା କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପବିତ୍ର ବିଶ୍ଵକର୍ମା ପୂଜା ଅବସରରେ ସଭିଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ବିଶ୍ଵକର୍ମାଙ୍କ କୃପାରୁ ନୂଆ ସର୍ଜନା ପ୍ରତିଟି ଜୀବନକୁ ଆଲୋକିତ କରୁ। ଦେବଶିଳ୍ପୀଙ୍କ ନିକଟରେ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରୁଛି।’