ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାହସ ଅଛି ତ ମୁମ୍ବାଇ ଆସ । ଇସ୍ତଫା ଦେଇ ନିର୍ବାଚନ ଲଢ । ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ମହାଲଢେଇ ମଧ୍ୟରେ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ଏପଟେ ଥମୁନି ମହାରାଷ୍ଟ୍ର ରାଜନୀତି ଝଡ। ଶିବସେନାରେ ଲାଗିଥିବା ନିଆଁ ଏବେ ଉଗ୍ର ରୂପ ଧାରଣ କଲାଣି। ଗୋଟିଏ ପଟେ ଉଦ୍ଧବ ଓ ଅନ୍ୟପଟେ ସିନ୍ଦେ। ୪୦ରୁ ଅଧିକ ବିଧାୟକ ବିଦ୍ରୋହ କରି ମୁମ୍ବାଇ ଛାଡି ଗୌହାଟୀରେ ଯାଇ ବସିଛନ୍ତି। ଏହି ବିଦ୍ରୋହୀ ବିଧାୟକଙ୍କ ନେତୃତ୍ୱ ସିନ୍ଦେଙ୍କ ହାତରେ ରହିଥିବା ବେଳେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଦ୍ରୋହୀ ବିଧାୟକଙ୍କୁ ଖୋଲିଖୋଲି ଚେତାବନୀ ଦେଇଛନ୍ତି।
ଶିବସେନା ନେତା ସଞ୍ଜୟ ରାଉତ୍ କହିଛନ୍ତି, ଯଦି ନୂଆ ଦଳ ଗଢିବାର ଅଛି, ତେବେ ନିଜ ବାପାଙ୍କ ନାଁରେ ଗଢ, ଭୋଟ୍ ମାଗ । ଆମ ଦଳର ଗୋଟିଏ ବାପା, ସେ ହେଉଛନ୍ତି ବାଲାସାହେବ ଠାକରେ । ତାଙ୍କ ନାଁ କାହିଁକି ବ୍ୟବହାର କରୁଛ? ତମର ଶହେ ବାପା । କିଏ ଦିଲ୍ଲୀରେ ତ କିଏ ନାଗପୁରରେ ବସିଛନ୍ତି । କିନ୍ତୁ ଆମର ନିଷ୍ଠା ଓ ବିଶ୍ୱାସ ବାଲାସାହେବଙ୍କ ପ୍ରତି ରହିଛି ଏବଂ ରହିଥିବ । ଆଉ ଉଦ୍ଧବ ହେଉଛନ୍ତି ଶିବସେନାର ପ୍ରମୁଖ । ତେଣୁ ତାଙ୍କ ନେତୃତ୍ୱରେ ଶିବସେନା ଆଗକୁ ବଢିବ ବୋଲି ସଞ୍ଜୟ ରାଉତ ରୋକଠୋକ ଶୁଣାଇଦେଇଛନ୍ତି । ତୁମେ ଚାହିଁଲେ ବି ଶିବସେନାର କିଛି କରିପାରିବ ନାହିଁ ।
ଇାଲାସାହେବଙ୍କ ଆଦର୍ଶରେ ଚାଲୁଥିବା ଶିବସୈନିକ କେବେ ବିଶ୍ୱାସଘାତ କରେନି । ପଛରୁ ଛୁରାଘାତ କରେନି । ଲକ୍ଷ ଲକ୍ଷ ଶିବସୈନିକ ତୃଣମୂଳସ୍ତରରେ କେବଳ ଗୋଟିଏ ଇସାରାକୁ ଅପେକ୍ଷା କରିଛନ୍ତି । କିନ୍ତୁ ଆମେ ଏ ପର୍ଯ୍ୟନ୍ତ ସଞ୍ଜମତା ବଜାୟ ରଖିଛୁ । ବିଧାୟକମାନଙ୍କୁ ଜୋରଜବରଦସ୍ତ ସେଠାରେ ରଖାଯାଇଛି । କିଛି ବିଧାୟକ ଫେରିବାକୁ ଚାହୁଁଥିଲେ ମଧ୍ୟ, ସେମାନଙ୍କୁ ଛଡ଼ାଯାଉନାହିଁ । ଜୋରଜବରଦସ୍ତ ସେଠାରେ ରଖାଯାଇଛି । ଯଦି ସାହସ ଅଛି, ମୁମ୍ବାଇ ଆସି ନିର୍ବାଚନ ଲଢ ବୋଲି ସଞ୍ଜୟ କହିଛନ୍ତି ।
ଅନ୍ୟପଟେ ଶିବସେନା କର୍ମୀଙ୍କ ରାସ୍ତାରେ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୫ ବିଦ୍ରୋହୀ ଶିବସେନା ବିଧାୟକଙ୍କୁ ୱାଇ ପ୍ଲସ୍ ସୁରକ୍ଷା ପ୍ରଦାନ କରିଛନ୍ତି । ତେବେ ଆଗାମୀ ଦିନରେ ମହାରାଷ୍ଟ୍ର ହାଇଡ୍ରାମା କେଉଁ ମୋଡ ନେଉଛି, ତାହା ଦେଖିବାକୁ ବାକି ରହିଲା ।