ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ କରୋନା ସଂକ୍ରମଣରେ ଲାଗୁନି ବ୍ରେକ୍ । ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ । ଲଗାତର କିଛି ଦିନ ହେଲା ଦେଶରେ କରୋନା ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ହେବାର ଲାଗିଛି । ଦୈନିକ ସଂକ୍ରମଣ ୨୦ହଜାର ପାର୍ କରୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୦ହଜାର ୨୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଯୋଗୁ ଗତ ୨୪ ଘଣ୍ଟାରେ ଆଉ ୩୬ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଲଗାତର ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଦେଢ଼ ଲକ୍ଷ ଟପିଛି ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍ ୧,୫୨,୨୦୦ ଜଣ କରୋନା ସକ୍ରିୟ ଆକ୍ରାନ୍ତ ରହିଥିବା ସୂଚନା ଦିଆଯାଇଛି ।
ସୁସ୍ଥତା ତୁଳନାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ହେତୁ ଦେଶରେ ପଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଉଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍ ୫ଲକ୍ଷ ୨୬ ହଜାର ୦୩୩ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଏଯାଏ ଦେଶରେ ମୋଟ୍ କରୋନାରୁ ସୁସ୍ଥ ହେଲେଣି ୪,୩୨,୧୦,୫୨୨ଜଣ ଆକ୍ରାନ୍ତ । ଦେଶରେ କରୋନା ସଂକ୍ରମଣ ଜାରି ରହିଥିବାରୁ ଟିକାକରଣ ମଧ୍ୟ କରାଯାଉଛି । ଏଯାଏ ୨୦୧.୯୯ କୋଟି ଡୋଜ୍ ଟିକା ଦିଆସରିଲାଣି । ସେପଟେ ସମସ୍ତେ କରୋନା କଟକଣାକୁ କଡାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ।