ଜେଲ୍ ଗଲେ ଦୁର୍ନୀତିଗ୍ରସ୍ତ ଇଞ୍ଜିନିୟର ସୁନୀଲ ରାଉତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆୟବହିର୍ଭୂତ ସଂପତି ମାମଲାରେ ଭିଜିଲାନ୍ସ ଚଢ଼ଉ କରିଥିବା ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ ସମ୍ପତ୍ତି ତାଲିକା ଲମ୍ବି ଚାଲିଛି। ଯେତିକି ଖୋଳା ଚାଲିଛି, ସେତିକି ସମ୍ପତ୍ତି ବାହାରୁଛି। ଜଗନ୍ନାଥ ଧାମରୁ ମଥୁରା ଯାଏ ତାଙ୍କ ସମ୍ପତ୍ତି ରହିଛି। ଆଜି ଭିଜିଲାନ୍ସର ଦ୍ବିତୀୟଦିନ ଚଢ଼ଉ ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ହାତରେ ଲାଗିଛି।

ଏଯାଏଁ ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତି ୧୪କୋଟିରୁ ଊର୍ଧ୍ବ ହେବ ବୋଲି ଜଣାପଡ଼ିଛି, ଯାହାକି ତାଙ୍କ ଆୟର ୨୫୮ ପ୍ରତିଶତ ବୋଲି ଭିଜିଲାନ୍ସ ହିସାବରୁ ସ୍ପଷ୍ଟ ହୋଇଛି। ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ସୂଚନା ମୁତାବକ, ରାଜ୍ୟ ଭିଜିଲାନ୍ସ ଗତ ଦୁଇଦିନ ଧରି ଇଞ୍ଜିନିୟର ଶ୍ରୀ ରାଉତଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି କୋଟିକୋଟି ଟଙ୍କା ମୂଲ୍ୟର ଜମି, ଫ୍ଲାଟ୍ , କୋଠା, ଫାର୍ମହାଉସ, କେଜିଏ ସୁନା ସହ ବହୁ ମୂଲ୍ୟବାନ ସମ୍ପତ୍ତି ଜବତ କରିଛି। ଶ୍ରୀ ରାଉତଙ୍କର ମଥୁରାରେ ଗୋଟିଏ ମୂଲ୍ୟବାନ ଫ୍ଲାଟ୍ ଥିବା ମଧ୍ୟ ଜଣାପଡ଼ିଛି। ରାଜ୍ୟ ଭିଜିଜିଲାନ୍ସ ଗତକାଲି ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ଉ କିରବା ପରେ ଆଜି ଭିଜିଲାନ୍ସ ସେଲରେ ଏକ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। ଏହି ସମ୍ପତ୍ତିର ଉତ୍ସ ସମ୍ପର୍କରେ ଶ୍ରୀ ରାଉତ କୌଣସି ସନ୍ତୋଷଜନକ ସୂଚନା ଦେଇପାରିନଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।

ଚଢ଼ଉ ବେଳେ ଆଜି ଭିଜିଲାନ୍ସ ଉତ୍ତରପ୍ରଦେଶର ମଥୁରାରେ ଏକ ୨ବିଏଚ୍‌କେ ଫ୍ଲାଟ ଥିବା ଠାବ କରିଛି। ଏହାର ମୂଲ୍ୟ ପାଖାପାଖି ୫୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ପୁଣି ଘର ଓ ଲକରକୁ ମିଶାଇ ଆହୁରି ଏକ କେଜି ସୁନା ଜବତ କରାଯାଇଛି। ସେହିପରି ବିଭିନ୍ନ ବ୍ୟାଙ୍କରେ ତାଙ୍କର ୯୮.୧୧ଲକ୍ଷ ଟଙ୍କା ଜମା ଥିବା ଜଣାପଡ଼ିଛି। ବିଭିନ୍ନ ବୀମା ବାବଦକୁ ୧.୮୬କୋଟି ଟଙ୍କା ଜମା ହୋଇଛି। କେବଳ ଏତିକି ନୁହେଁ, କୁବେରେ ଯନ୍ତ୍ରୀ ବେଶ୍‌ ସୌଖୀନ ଥିଲେ ବୋଲି ଜଣା ପଡ଼ିଛି।

Leave A Reply

Your email address will not be published.