ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, କାଚିବ ବର୍ଷା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ସେପ୍ଟେମ୍ବର ୪ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଥିବା ବେଳେ ୩ ତାରିଖ ଠାରୁ ରାଜ୍ୟରେ ବର୍ଷାର ବିସ୍ତୃତି ବଢିବ ବୋଲି ଆଜି ଅପରାହ୍ନରେ ଏକ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧ ସେପ୍ଟେମ୍ବର, ଶୁକ୍ରବାର ଅପରାହ୍ନ ସୁଦ୍ଧା ରାଜ୍ୟର ୨୩ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଦେବଗଡ଼, ବୌଦ୍ଧ, ଢ଼େଙ୍କାନାଳ, ଅନୁଗୁଳ, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, କୋରାପୁଟ ଓ ମାଲକାନଗିରି ପ୍ରଭୃତି ୨୩ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ସମସ୍ତ ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅନ୍ୟପକ୍ଷରେ ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱର ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସକାଳୁ ଆକାଶ ଆଂଶିକ ମେଘାଛନ୍ନ ରହିଛି। ତେବେ, ଟୁଇନ୍‌ ସିଟି ଅଞ୍ଚଳରେ ଅପରାହ୍ନରୁ ବିଳମ୍ବିତ ସନ୍ଧ୍ୟା ମଧ୍ୟରେ ବଜ୍ରପାତ ସହ ଅସରାଏ, ଦୁଇଅସରା ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସୂଚନାରେ କୁହାଯାଇଛି। ସେପଟେ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଛି। ଯେଉଁଥିପାଇଁ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୭ ମିମି ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୧୦.୨ ମିମି ତୁଳନାରେ ୯୩% କମ ବୋଲି ପାଣିପାଗ ବିଭାଗ ଦର୍ଶାଇଛି।

Leave A Reply

Your email address will not be published.