ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ୧୪୨ ରନ୍ରେ ପରାସ୍ତ କରିଛି ପାକିସ୍ତାନ। ମହିନ୍ଦା ରାଜପକ୍ଷ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ବେ ଦଳ ୪୭.୧ ଓଭର ସୁଦ୍ଧା ସମସ୍ତ ୱିକେଟ୍ ବିନିମୟରେ ୨୦୧ ରନ୍ କରିପାରିଥିଲା। ଇମାମ୍ ଉଲ୍ ହକ୍ ୬୧, ଇଫତିକାର ଅହମଦ ୩୦ ଓ ସଦାବ ଖାନ୍ ୩୯ ରନ୍ ସ୍କୋର କରିଥିଲେ।
ମୁଜିବୁର ରହମାନ୍ ୩, ମହମ୍ମଦ ନବି ଓ ରସିଦ ଖାନ୍ ୨ ୱିକେଟ୍ ଲେଖାଏଁ ନେଇଥିଲେ। ଜବାବରେ ଆଫଗାନିସ୍ତାନ ନିୟମିତ ହାରରେ ୱିକେଟ୍ ହରାଇ ୧୯.୨ ଓଭରରେ ୫୯ ରନ୍ କରି ଅଲଆଉଟ ହୋଇଯାଇଥିଲା। ହାରିସ୍ ରୌଫ୍ ପ୍ରଥମ ଥର ୫ ୱିକେଟ୍ ସଫଳତା (୬.୨-୨-୧୮-୫) ପାଇଥିଲା ବେଳେ ସାହିନ ଶାହ ଆଫ୍ରିଦି ୨, ନସୀମ ଶାହ ଓ ସଦାବ ଖାନ୍ ୧ ୱିକେଟ୍ ଲେଖାଏଁ ନେଇଥିଲେ।