ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଦିପାବଳୀ ଭେଟି ଦେବାକୁ ଯାଇ ମହଙ୍ଗା ଭତ୍ତା(ଡିଏ)କୁ ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ଏନଡିଏ ସରକାର, ସମସ୍ତ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ପେନସନଧାରୀଙ୍କୁ ଦୀପାବଳି ଭେଟି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ମହଙ୍ଗା ଭତ୍ତା ବୃଦ୍ଧି ସଂପର୍କିତ ପ୍ରସ୍ତାବରେ ମୋହର ଲାଗିଛି ।
କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏହାର ଅର୍ଥ ଅକ୍ଟୋବର ମାସର ଦରମା ମହଙ୍ଗା ଭତ୍ତା ସହ ମିଳିବ। ଏହା ସହ ତିନି ମାସର ବକେୟା ଭତ୍ତା ମଧ୍ୟ ମିଳିବ। ଏହି ଘୋଷଣା ପରେ ପେନସନ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମଧ୍ୟ ଉପକୃତ ହେବେ। ସେମାନଙ୍କର ମଧ୍ୟ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ସର୍ବଭାରତୀୟ ଗ୍ରାହକ ଦର ସୂଚକାଙ୍କ ଜରିଆରେ ମହଙ୍ଗା ଭତ୍ତାର ହିସାବ କରାଯାଏ। ଏହି ସୂଚକାଙ୍କ ଖୁଚରା ବଜାରର ମୂଲ୍ୟକୁ ଟ୍ରାକ କରି ମହଙ୍ଗା ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଏ।
ମହଙ୍ଗା ଭତ୍ତା ବର୍ଷକୁ ଦୁଇ ଥର ସଂଶୋଧିତ କରାଯାଏ। କର୍ମଚାରୀଙ୍କୁ ସେମାନଙ୍କ ଜୀବନ ଧାରଣ କ୍ଷମତାରେ ଆର୍ଥିକ ସହାୟତା ପାଇଁ ମହଙ୍ଗା ଭତ୍ତାର ବ୍ୟବସ୍ଥା କରାଯାଇଛି। ୩% ମହଙ୍ଗା ଭତ୍ତା ବୃଦ୍ଧି କରାଯିବା ଫଳରେ ବର୍ତ୍ତମାନ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ପାଉଥିବା କର୍ମଚାରୀ ଅତିରିକ୍ତ ୫୪୦ ଟଙ୍କା ଅଧିକ ପାଇବେ। ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନ ଉପୋଭକ୍ତା ଏଥିରୁ ଲାଭାନ୍ବିତ ହେବେ।