ଗଭୀର ଅବପାତର ରୂପ ନେଲା ଲଘୁଚାପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତଟି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ
ହୋଇଛି। ପୁରୀଠାରୁ ୧୧୦ କିମି ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରରୁ ୧୫୦ ଓ ପାରାଦୀପରୁ ୧୬୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଅବପାତ । ଏହା ଘଣ୍ଟା ପ୍ରତି ୭ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହା ପୁରୀଠାରୁ ୧୧୦ କିମି ଦୂର କେନ୍ଦ୍ରୀଭୂତ ହୋଇଛି।

ଆଜି ମଧ୍ୟାହ୍ନ ସମୟରେ ପୁରୀ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୀଷଣ ବର୍ଷା ପାଇଁ ଆଜି ୫ ଜିଲ୍ଲା ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି। ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୧୧ ପର୍ଯ୍ୟନ୍ତ ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଧାମରା, ପାରାଦୀପ, ପୁରୀ ଏବଂ ଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ପ୍ରବଳ ବର୍ଷା ଯୋଗୁଁ ଉପକୂଳ ଜିଲ୍ଲାର ତଳି ଅଞ୍ଚଳରେ ପାଣି ପଶିବାର ସମ୍ଭାବନା ରହିଛି। ତେବେ ଆଜି ପାଇଁ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

Leave A Reply

Your email address will not be published.