ମାଲକାନଗିରିରେ ପ୍ରବଳ ବର୍ଷା, ସହର ଜଳମଗ୍ନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରି। ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି। ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି ଯାଉଛି।  ଆଜି ସକାଳୁ ଜିଲ୍ଲାରେ ପ୍ରବଳ ବେଗରେ ବର୍ଷା ଲାଗିରହିଛି। ସହରର ଥାନା ଛକ, ହୋଟେଲ କୁଇନାଇ ଛକ, ବାଲିସାଗର ସାହି, ବସ ଷ୍ଟାଣ୍ଡ ବିଭିନ୍ନ ସ୍ଥାନରେ ପାଣିର ସୁଅ ଚାଲିଥିବାରୁ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନ ବାହନ ଚଳାଚଳ ସହିତ ଯାତାୟତ ବନ୍ଦ ହୋଇଯାଇଛି।

ଏହି ବର୍ଷା ଦ୍ୱାରା ପୁଣି ଥରେ ସାବେରୀ, ସିଲେରୁ, ତମସା, ପୋଟେରୁ, ପାଙ୍ଗମ ନଦୀ ଫୁଲି ପୋଲ ଉପରେ ପାଣି ପ୍ରଭାହିତ ହେଉଛି। ବିଶେଷ କରି ପାଙ୍ଗମ ନଦୀ ପୋଲ ଉପରେ ଦୁଇଫୁଟ ଉଚ୍ଚର ପାଣି ଚାଲିଥିବାରୁ ମାଲକାନଗିରି ଠୁ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲର ଦୁଇ ପାର୍ଶ୍ବରେ ଶତାଧିକ ଯାନ ବାହନ ଅଟକି ରହିଛି। ପ୍ରବଳ ବେଗରେ ବର୍ଷା ଲାଗି ରହିଥିବାରୁ ସହରରେ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଛି। ସେହିପରି କାଙ୍ଗୁରକୋଣ୍ଡା ପୋଲ ଉପରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।

ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। MV-90 ଏବଂ MV-96 ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି। ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି। ସମ୍ପୂର୍ଣ୍ଣ ଜାତୀୟ ରାଜପଥ ବୁଡ଼ି ଯାଇଥିବା ଯୋଗୁ ଦୁଇ ଜିଲ୍ଲାକୁ ଯାତାୟତ ସମ୍ଭବ ହୋଇପାରୁନି। ଜିଲ୍ଲାର ପ୍ରବେଶ ପଥ ପାଙ୍ଗମ,ଏମଭି- ୭, ପୋଟେରୁ, ଏମଭି-୯୦, କନ୍ୟା ଆଶ୍ରମ, କାଙ୍କୋର କୋଣ୍ଡା ପରି ଅନେକ ଅଞ୍ଚଳରେ ବୁଡ଼ି ରହିଛି ପୋଲ। ପୋଟେରୁ ସହର ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପଶିଯାଇଛି।

Leave A Reply

Your email address will not be published.