ପୁରୀ ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା: ଫେସବୁକରେ ଲେଖିଛନ୍ତି ଫୋନରେ ଥିବା ଭିଡ଼ିଓକୁ ଲୋକଲୋଚନକୁ ଆଣିବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଜୀବନ ହାରିଲେ ଜିଲ୍ଲା ପରିଷଦ ସଭ୍ୟ । ପୁରୀ ଜିଲ୍ଲା ୧୧ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭୁବନେଶ୍ୱର ଶିଶୁପାଳଗଡ଼ ଲକ୍ଷ୍ମୀବିହାର ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଆତ୍ମହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସିସିଟିଭି ଫୁଟେଜରେ ଶେଷ ଥର ପାଇଁ ଗାଡ଼ିରେ ଚଢ଼ୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ପୂର୍ବରୁ ୧୫ ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଧର୍ମେନ୍ଦ୍ର । ପରିବାର ଲୋକ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମେଡିକାଲରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ । ତେବେ ମୃତ୍ୟୁ ପୂର୍ବରୁ ସୋସିଆଲ୍‌ ମିଡିଆରେ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଫେସବୁକରେ ଲେଖିଛନ୍ତି ମୋ ଫୋନ ଦୁଇଟାରେ ଭିଡିଓ ରହିଛି । ତାକୁ ଲୋକଲୋଚନକୁ ଆଣିବେ ।

କାହିଁକି ଓ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି ଧର୍ମେନ୍ଦ୍ର ? କଣ ହୋଇଥାଇପାରେ କାରଣ ?ପାରିବାରିକ ବିବାଦ ନା ଆଉ କିଛି କାରଣ ରହିଛି ? କାହିଁକି ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଧର୍ମେନ୍ଦ୍ର ସାହୁ ? ସସପେନ୍ସ ବଢ଼ାଇଛି ତାଙ୍କର ସୋସିଆଲ୍‌ ମିଡିଆ ପୋଷ୍ଟ । ମୋବାଇଲ୍‌ରେ ଥିବା ଭିଡିଓରେ କଣ ରହିଛି ରହସ୍ୟ ? ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ଏଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।.

Leave A Reply

Your email address will not be published.