ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର୍‌ ବିଭୁଦାନନ୍ଦ ମିଶ୍ର। ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ଭୁବନେଶ୍ଵରରେ ଗୋଟିଏ , ହାଇଦ୍ରାବାଦରେ ୨ଟି ଫ୍ଲାଟ୍ ଠାବ ହୋଇଛି। ସେହିପରି ଭୁବନେଶ୍ଵର ଓ ଢେଙ୍କାନାଳରେ ତାଙ୍କର ୮ଟି ଫ୍ଲାଟ୍ ରହିଛି।

କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଢେଙ୍କାନାଳ, କଟକ, ଭୁବନେଶ୍ୱରରେ ଥିବା ଶ୍ରୀ ମିଶ୍ରଙ୍କ ପୈତୃକ ଘର, ବର୍ତ୍ତମାନର ବାସଗୃହ, ଅଫିସ‌୍, ତାଙ୍କ ଭାଇ ଓ ପୁଅବୋହୂଙ୍କ ଘର ଆଦି ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି। କୁବେର ଭଣ୍ଡାର ପରି ତାଙ୍କ ଘରର ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ବାହାରିଛି। ଏପରିକି ତାଙ୍କ ଟଏଲେଟ୍‌ ଫ୍ଲସ୍‌ ମଧ୍ୟରେ ଲୁଚାଇ ରଖିଥିବା ଟଙ୍କାକୁ ଓଦା ଅବସ୍ଥାରେ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି। ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଭିଜିଲାନ୍ସ ବିଭାଗ ଠାବ କରିଛି।  ବିଭୁଦାନନ୍ଦଙ୍କର ୫ ଏକର ପରିମିତ ଫାର୍ମହାଉସର ଶୀତତାପ ନିୟନ୍ତ୍ରିତ କୋଠରିରେ ୪ ମୟୂର, ହଂସ, କୁକୁଡା, ଠେକୁଆ, ବତକ ଆଦି ଜୀବଜନ୍ତୁ ରହିଛନ୍ତି।

ଏହି ଫାର୍ମହାଉସରେ ଆମୋଦପ୍ରମୋଦ ପାଇଁ ଶୀତତାପ ନିୟନ୍ତ୍ରିତ ବଙ୍ଗଳା, ବିଭିନ୍ନ ନାମୀଦାମୀ କମ୍ପାନୀର ସୌଖୀନ ଆସବାବପତ୍ର, ବିଭିନ୍ନ ପଥର ପ୍ରତିମୂର୍ତ୍ତି ରହିଛି। ଫାର୍ମ ହାଉସଟି ଏକ ପାର୍କର ଭ୍ରମ ସୃଷ୍ଟି କରୁଛି। ଏହା ତାଙ୍କ ସମ୍ପର୍କୀୟ ପ୍ରଣତି ମିଶ୍ରଙ୍କ ନାମରେ ସରକାରୀ ଯୋଜନା ଅନୁଯାୟୀ କରାଯାଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୯୯ଲକ୍ଷ ୯୫ ହଜାର ଟଙ୍କା ଅଟକଳରେ ନିର୍ମିତ ଫାର୍ମରେ ୨୨ ହଜାର କୁକୁଡ଼ା ଓ ଅନ୍ୟଟିରେ ୯୫ ଲକ୍ଷ ୫୦ ହଜାର ଟଙ୍କା ଅଟକଳରେ ନିର୍ମିତ ଫାର୍ମରେ ୧୫ହଜାର କୁକୁଡ଼ା ରହିବାର କ୍ଷମତା ରହିଛି। ୭ ଜଣ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଇନ୍‌ସପେକ୍ଟର, ୬ ଜଣ ଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।

Comments are closed.