ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିମ୍ ବକ୍ସ କାରବାର ମାମଲାରେ ପୁଣି ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ । ଆଉ ୨ ଦିନ ରିମାଣ୍ଡରେ ନେଇ ଜେରା କରିବ କମିଶନରେଟ ପୋଲିସ । ତେବେ ଏହି ରିମାଣ୍ଡ ପାଇଁ ୭ ଦିନ ଆବେଦନ କରିଥିଲେ ମଧ୍ୟ ପୋଲିସକୁ ୨ ଦିନ ଅନୁମତି ମିଳିଛି । ନିକଟରେ ରାଜୁକୁ ଝାରଖଣ୍ଡର ରାଞ୍ଚିକୁ ନେଇଥିଲା। ଭୁବନେଶ୍ୱର, କଟକ ପରେ ଝାରଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡ଼ିବା ପରେ ପୁଲିସ ତାକୁ ରାଞ୍ଚି ନେଇଥିଲା।
ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାରଖଣ୍ଡ ନିଆଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ ପୁଲିସ। ଏଣେ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଥିଲା ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। ପଶ୍ଚିମବଙ୍ଗର ଏକ ଥାନାରେ ରାଜୁର ନିଖୋଜ ରିପୋର୍ଟ ଦେଲେ ଘର ଲୋକ। ମିସିଂ ରିପୋର୍ଟ ପାଇବା ପରେ ରାଜୁ ମଣ୍ଡଳ ମୋବାଇଲ ଫୋନ୍ ଟ୍ରାକ କରିଥିଲା ପଶ୍ଚିମବଙ୍ଗ ପୁଲିସ। ରାଜୁର ଲାଷ୍ଟ ଲୋକେଶନ୍ ଲକ୍ଷ୍ମୀସାଗର ଥାନା ସୋ କରିଥିଲା।
ଲକ୍ଷ୍ମୀସାଗର ଥାନା ପୁଲିସ ସହ ପଶ୍ଚିମବଙ୍ଗ ପୁଲିସ କଥା ହେବା ପରେ ପରିବାର ଲୋକ ରାଜୁ ଗିରଫ ହେବା ନେଇ ସୂଚନା ପାଇଥିଲେ | ଅନ୍ୟପକ୍ଷରେ ସିମ୍ ବକ୍ସ ଅପରେଟିଂ ଜାରି ରହିଥିବାରୁ ଦେଶଦ୍ରୋହ ନେଇ ଆଶଙ୍କା କରିଛି ଓଡ଼ିଶା ଓ ଝାଡଖଣ୍ଡ ପୁଲିସ ସହ ତଦନ୍ତରେ ସାମିଲ ଥିବା ରିଜର୍ଭ ବାଟାଲିୟନ୍। ଯାହାକୁ ନେଇ ଆଜି ପୁଣି ୨ ଦିନିଆ ରିମାଣ୍ଡରେ ନେଇ ରାଜୁ ଠାରୁ ଅଧିକ ରହସ୍ୟ ଜାଣିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।