ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ, କହିଲେ ଏ ‘ଅମୃତ କାଳ’ରେ ଆପଣମାନେ ‘ଅମୃତ ରକ୍ଷକ’ ଅଟନ୍ତି

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ଆଜି ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧,୧୦୬ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଭର୍ଚୁଆଲ ମୋଡରେ ବିଭିନ୍ନ ପାରା ମିଲ୍‌ଟାରି ଫୋର୍ସରେ ଚାକିରି କରିବା ପାଇଁ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି। ଦେଶର ୪୫ଟି ସ୍ଥାନରେ ଆୟୋଜିତ ହୋଇଥିବା ଏହି ରୋଜଗାର ମେଳାରେ ଭର୍ଚ୍ୟୁଆଲ୍‌ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, ଏ ‘ଅମୃତ କାଳ’ରେ ଆପଣମାନେ ‘ଅମୃତ ରକ୍ଷକ’ ଅଟନ୍ତି।

ଏହା ସହିତ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଗତ ଅଳ୍ପ କେତେ ବର୍ଷରେ ପାରାମିଲ୍‌ଟାରି ଫୋର୍ସ ଚୟନ ପ୍ରକ୍ରିୟାରେ ଆମେ ଅନେକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛୁ। ସେହିପରି, ଯୁବବର୍ଗଙ୍କୁ ଚାକିରି ସୁଯୋଗ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଅଟୋମୋବାଇଲ୍‌, ଫାର୍ମା ସେକ୍ଟର୍‌ ଖୁବ୍‌ ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବାରୁ ଆଗାମୀ ଦିନରେ ଅନେକ ଚାକରି ସୁଯୋଗ ମିଳିବ। ସେ ମଧ୍ୟ କହିଛନ୍ତି ଯେ, ଏହି ଦଶନ୍ଧିରେ ଭାରତ ବିଶ୍ବର ଶ୍ରେଷ୍ଠ ୩ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବାର ଗୌରବ ଅର୍ଜନ କରିବ।

କୌଣସି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାକୁ ହେଲେ ଖାଦ୍ୟଠାରୁ ଫାର୍ମା ପର୍ୟ୍ୟନ୍ତ, ମହାକାଶଠାରୁ ଷ୍ଟାର୍ଟଅପ୍‌ ପର୍ୟ୍ୟନ୍ତ ସବୁ ସେକ୍ଟର୍‌ଗୁଡ଼ିକୁ ବିକଶିତ କରିବାକୁ ପଡ଼ିବ। ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର କଥା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ୯ ବର୍ଷ ତଳେ ଅଗଷ୍ଟ ୨୮ ତାରିଖ ଦିନ ଜନଧନ ଯୋଜନା ଆରମ୍ଭ କରାଯାଇଥିଲା। ନିଯୁକ୍ତି ସୃଷ୍ଟିରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି।

ନବନିଯୁକ୍ତ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଖୁବଶୀଘ୍ର ବିଶ୍ୱର ଟପ-୩ ଅର୍ଥବ୍ୟବସ୍ଥାରେ ସାମିଲ ହେବ । ଆଜାଦୀର ଏହି ଅମୃତକାଳରେ ଯେଉଁମାନେ ନିଯୁକ୍ତିପତ୍ର ପାଇଛନ୍ତି ସେମାନେ ଦେଶର ସେବା କରିବା ସହ ନାଗରିକ ମାନଙ୍କ ରକ୍ଷା ମଧ୍ୟ କରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଥରେ ୟୁପି ବିକାଶ ଦୃଷ୍ଟିରୁ ବହୁ ପଛରେ ଥିଲା ଏବଂ ଅପରାଧ ଦୃଷ୍ଟିରୁ ଆଗରେ ଥିଲା। ୟୁପି ଏକଦା ଗ୍ୟାଙ୍ଗଷ୍ଟରଙ୍କ ଦ୍ୱାରା ଶାସିତ ଥିଲା, ୟୁପିରେ ଅପରାଧ ହ୍ରାସ ପାଇଛି ଏବଂ ବର୍ତ୍ତମାନ ପୁଞ୍ଜି ବିନିଯୋଗ ବଢୁଛି। ବର୍ତ୍ତମାନ ୟୁପିରେ ଆଇନର ରାଜ ଅଛି। ଯୁବକମାନେ ଦେଶର ସେବା କରିବାକୁ ଚାହୁଁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.