ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ମାଳମାଳ ଲାଞ୍ଚୁଆ ସରକାରୀ ଅଧିକାରୀ ଓ କର୍ମଚାରୀ ଅଛନ୍ତି। ବିନା ଲାଞ୍ଚରେ ଅନେକ କାମ ହୋଇପାରୁ ନାହିଁ। ଏହି କ୍ରମରେ ଶବ ବ୍ୟବଚ୍ଛେଦ ପାଇଁ ବି ଲାଞ୍ଚ । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଦାନଗଦି ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ସେଠୀ । ଡେର୍ଥ ସାର୍ଟିଫିକେଟ ଦେବାକୁ ନେଉଥିଲେ ୨୦ ହଜାର ଟଙ୍କା ଲାଞ୍ଚ । ସମ୍ପୃକ୍ତ ଡାକ୍ତର ସମେତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଛି । ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ଓ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖି ଜେରା କରୁଛି। ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ । ମାର୍ଚ୍ଚ ୩୧ ତାରିଖରେ ଦାନଗଦି ଅଞ୍ଚଳରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । ହେଲେ ମୃତକଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଉନଥିଲା । ମୃତକଙ୍କ ପୁଅ ବାରମ୍ୱାର ଦାନଗଦି ସିଏଚସି ଆସି ନିରାଶ ହୋଇ ଫେରୁଥିଲେ । ପରେ ମେଡ଼ିକାଲ୍ର ଡାକ୍ତର ପବିତ୍ର କୁମାର ସେଠୀଙ୍କ ସହିତ ଯୋଗାଯୋଗ କରିଥିଲେ । କଥାବାର୍ତ୍ତା ସମୟରେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡିଙ୍କ ମାଧ୍ୟମରେ ଡାକ୍ତର ସେଠୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ପୁଅ ଏନେଇ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ମୃତକଙ୍କ ପୁଅ ଲାଞ୍ଚ ଟଙ୍କା ଦେଉଥିଲେ । ଠିକ୍ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ସିକ୍ୟୁରିଟି ଗାର୍ଡ ଶ୍ରୀ କାଣ୍ଡି ଓ ଡାକ୍ତର ସେଠୀଙ୍କୁ ଧରିଥିଲେ । ଏପରିକି ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଉଭୟଙ୍କ ଅଟକ ରଖି ଜେରା କରୁଛି ଭିଜିଲାନ୍ସ ।
ସୂଚନାଯୋଗ୍ୟ, ନିକଟରେ ଏକ ମାମଲାର ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ କମିସନରେଟ ପୁଲିସର ଜଣେ ଏସ୍ଆଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଅଭିଯୁକ୍ତ ପୁଲିସ ଏସ୍ଆଇ ହେଲେ ସୁଶାନ୍ତ କୁମାର ସ୍ବାଇଁ । ସେ ଖଣ୍ଡଗିରି ଥାନାରେ ଏସ୍ଆଇ ଭାବେ କାର୍ଯ୍ୟରତ ଥିଲେ । ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଆଜି ଶ୍ରୀ ସ୍ବାଇଁ ଅଭିଯୋଗକାରୀଙ୍କୁ ୫୦ ହଜାର ଟଙ୍କା ଦାବି କରିଥିଲେ। ଥାନାବାବୁଙ୍କୁ ପାନେ ଦେବା ପାଇଁ ଅଭିଯୋଗକାରୀ ଏକ ଯୋଜନା କରିଥିଲେ ଏବଂ ଭିଜିଲାନ୍ସ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ। ପୂର୍ବ ଦାବି ଅନୁସାରେ ସେ ଆଜି ଥାନାବାବୁ ଶ୍ରୀ ସ୍ବାଇଁଙ୍କୁ ନାକା ଗେଟ୍ ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ଦେଉଥିଲା ବେଳେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲେ। ଉପରୋକ୍ତ ମାମଲାରେ ଭୁବନେଶ୍ବର ଭିଜିଲାନ୍ସ ଏକ ମାମଲା ରୁଜୁ କରିଛି ।