ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସବ୍-ରେଜିଷ୍ଟ୍ରାର ଅଫିସର ବରିଷ୍ଠ କିରାଣି । ପୁରୀ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟର ବରିଷ୍ଠ କିରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବରିଷ୍ଠ କିରାଣି ରଘୁନାଥ ବିଷୋୟୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ପାୱାର ଆଟର୍ଣ୍ଣିଂ ଲାଗି ବରିଷ୍ଠ କିରାଣି ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ବ୍ୟକ୍ତିଜଣଙ୍କ ୧୦ ହଜାର ଟଙ୍କା ଦେବାକୁ ଅକ୍ଷମ କହିବାରୁ ୫ ହଜାର ଟଙ୍କାରେ କଥା ଛିଡ଼ିଥିଲା । ଆଜି ବରିଷ୍ଠ କିରାଣି ବିଷୋୟୀ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀ ମାଡ଼ି ବସିଥିଲେ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏନେଇ ଭୁବନେଶ୍ୱର ଭିଜିଲାନ୍ସରେ ଏକ ମାମଲା ରୁଜୁ କରାଯାଇଛି ।
ଏହି କ୍ରମରେ ଆଜି ସକାଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଡାକ୍ତର ଓ ସିକ୍ୟୁରିଟି ଗାର୍ଡ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ। ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଉଥିବା ବେଳେ ଉଭୟଙ୍କୁ ଭିଜିଲାନ୍ସ ଧରିଛି। ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ଓ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖି ଜେରା କରୁଛି । ଏପରି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲାରୁ। ମାର୍ଚ୍ଚ ୩୧ ତାରିଖରେ ଦାନଗଦି ଅଞ୍ଚଳରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା। ହେଲେ ମୃତକଙ୍କ ପରିବାର ଲୋକଙ୍କୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦିଆଯାଉନଥିଲା । ମୃତକଙ୍କ ପୁଅ ବାରମ୍ୱାର ଦାନଗଦି ସିଏଚସି ଆସି ନିରାଶ ହୋଇ ଫେରୁଥିଲେ । ପରେ ମେଡ଼ିକାଲ୍ର ଡାକ୍ତର ପବିତ୍ର କୁମାର ସେଠୀଙ୍କ ସହିତ ଯୋଗାଯୋଗ କରିଥିଲେ । କଥାବାର୍ତ୍ତା ସମୟରେ ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ଅଭିରାମ କାଣ୍ଡିଙ୍କ ମାଧ୍ୟମରେ ଡାକ୍ତର ସେଠୀ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ମୃତକଙ୍କ ପୁଅ ଏନେଇ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଯୋଜନା ମୁତାବକ ଆଜି ମୃତକଙ୍କ ପୁଅ ଲାଞ୍ଚ ଟଙ୍କା ଦେଉଥିଲେ। ଠିକ୍ ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ସିକ୍ୟୁରିଟି ଗାର୍ଡ ଶ୍ରୀ କାଣ୍ଡି ଓ ଡାକ୍ତର ସେଠୀଙ୍କୁ ଧରିଥିଲେ। ଏପରିକି ସେମାନଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଉଭୟଙ୍କ ଅଟକ ରଖି ଜେରା କରାଯାଉଛି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁଙ୍କୁ ଲାଞ୍ଚନେଲା ବେଳେ ମାଡ଼ିବସିଛି ଭିଜିଲାନ୍ସ । ଏସଆଇ ସୁଶାନ୍ତ ସ୍ୱାଇଁ ନାକା ଗେଟ ନିକଟରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖଣ୍ଡଗିରି ଥାନା କେସ ନମ୍ବର ୨୨/୨୧ର ରଫାଦଫା ପାଇଁ ଉକ୍ତ ଟଙ୍କା ଲାଞ୍ଚ ନେଉଥିଲେ । ୫ଶହ ଟଙ୍କିଆ ବଣ୍ଡଲ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ମାଡିବସିଥିଲା। ପରେ ସୁଶାନ୍ତଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା ।