ପୁରୀ(ଓଡ଼ିଆ ନ୍ୟୁଜ୍): ବାଡ଼ ଫସଲ ଖାଇଲା ପରି ପୋଲିସ ଛତ୍ରଛାୟାରେ ନିଶା ବେପାରୀଙ୍କ ବିସ୍ତାର ହେଉଛି ସାମ୍ରାଜ୍ୟ । ପୋଲିସ ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଖୋଦ ଅବକାରୀ ବିଭାଗର ଜଣେ ଇନସ୍ପେକ୍ଟର । ପୁରୀ ଜିଲ୍ଲା ଅବକାରୀ ବିଭାଗର ଇନ୍ସପେକ୍ଟର ସଞ୍ଜୟ ପଣ୍ଡାଙ୍କ କହିଛନ୍ତି ପୁରୀ ଜିଲ୍ଲାରେ ପୁଲିସ ଅଧିକାରୀମାନେ ନିଶା ବେପାରୀଙ୍କଠାରୁ ମାସିକିଆ ବଟି ନେଉଛନ୍ତି। ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି। ସେ ଏନେଇ ଅବକାରୀ କମିଶନରଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି, ଆମ ଏକ୍ସସାଇଜ ଡିପାର୍ଟମେଣ୍ଟରେ ଷ୍ଟାଫ୍ ବହୁତ କମ୍ ଅଛନ୍ତି। ପୁଲିସ୍ ଚାହିଁଲେ ବିଭିନ୍ନ ଅଞ୍ଚଳରେ ନିଶା କାରବାର ରୋକିପାରନ୍ତା। ପୁଲିସକୁ ମଧ୍ୟ ଆମ ଭଳି ଅବକାରୀ କ୍ଷମତା ଦିଆଯାଇଛି। ପୁଲିସ୍ କିନ୍ତୁ ସେହି କ୍ଷମତାର ଅପବ୍ୟବହାର କରୁଛି। ଆମକୁ ଫିଲ୍ଡରେ ପୁଲିସର କୌଣସି ସହାୟତା ମିଳୁ ନାହିଁ। ନିଶା ବେପାରୀଙ୍କଠାରୁ ମାସିକ ବଟି ନେଇ ପୁଲିସ୍ ସେମାନଙ୍କୁ ସହଯୋଗ କରୁଛି। ପୁଲିସଙ୍କ ଭଳି ଆମର ଦରମା ଉଚ୍ଚ ନୁହେଁ, ଆମକୁ ଘର କି ଗାଡ଼ି ମିଳୁନି। ଏଭଳି ପରିସ୍ଥିତିରେ କିପରି କାମ କରିବୁ ବୋଲି ସଂଜୟ ପ୍ରଶ୍ନ କରିଛନ୍ତି।
ସଞ୍ଜୟଙ୍କର ଏପରି ବିସ୍ଫୋରକ ବୟାନ ଓ ଚିଠି ପରେ ଅବକାରୀ ବିଭାଗ ଓ ଓଡ଼ିଶା ପୁଲିସରେ ହଟଚମଟ ସୃଷ୍ଟି କରିଛି। ତେବେ ଏନେଇ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ମୁହଁ ଖୋଲିନାହାନ୍ତି। ସଞ୍ଜୟ କେବଳ ଅବକାରୀ କମିଶନ ନୁହଁ, ସେ ପୁରୀ ଜିଲ୍ଲାପାଳ, ଏସ୍ପି ଓ ଅବକାରୀ ଏସ୍ପିଙ୍କୁ ଚିଠି ଲେଖିଛନ୍ତି।