ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ଗତ ୫ ବର୍ଷରେ ବିଭିନ୍ନ କାରଣରୁ ରାଜ୍ୟରେ ୪୦୩ଟି ହାତୀ ମରିଛନ୍ତି । ଏବେ ଓଡ଼ିଶା ଜଙ୍ଗଲରେ ୨୦୯୮ଟି ହାତୀ ରହିଛନ୍ତି। ଅର୍ଥାତ୍ ଗତ ୭ ବର୍ଷ ମଧ୍ୟରେ ରାଜ୍ୟରେ ୧୨୨ଟି ହାତୀ ବଢ଼ିଛନ୍ତି। ଶେଷ ଥର ପାଇଁ ୨୦୧୭ରେ ହୋଇଥିବା ହାତୀ ଗଣନା ସମୟରେ ଓଡ଼ିଶାରେ ୧୯୭୬ଟି ହାତୀ ରହିଥିଲେ। ଚିହ୍ନଟ ହୋଇଥିବା ୨୦୯୮ଟି ହାତୀଙ୍କ ମଧ୍ୟରୁ ୪୭୪ଟି ଅଣ୍ଡିରା ହାତୀ ରହିଥିବା ବେଳେ ୧୦୩୦ଟି ମାଈ ହାତୀ ରହିଛନ୍ତି। ୫୯୪ଟି ହାତୀ ଛୁଆ ରହିଥିବା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ବାରିପଦା, ଚନ୍ଦକା, ଖୋର୍ଦ୍ଧା, ବଣାଇ ଓ କେନ୍ଦୁଝର ଡିଭିଜନ୍ରେ ଆଖିଦୃଶିଆ ଭାବେ ହାତୀଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ପିସିସିଏଫଙ୍କ ସୂଚନା ଅନୁସାରେ, ଗତ ୫ ବର୍ଷରେ ରାଜ୍ୟରେ ୪୦୩ ହାତୀ ମରିଛନ୍ତି । ଅର୍ଥାତ୍ ବର୍ଷକୁ ୩-୪ % ହାତୀ ମରୁଛନ୍ତି ଯାହାକି ସ୍ଵାଭାବିକ । ଗତବର୍ଷ ୬୬ ହାତୀଙ୍କ ମୃତ୍ୟୁ ହୋଇଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଅନୁଗୁଳ ଓ ଢେଙ୍କାନାଳ ଅଞ୍ଚଳରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ । ସୂଚନା ଥାଉକି, ହାତୀଙ୍କ ଉପସ୍ଥିତ ଥିବା ରାଜ୍ୟର ୪୬ଟି ଡିଭିଜନରେ ହାତୀ ଗଣନା କରାଯାଇଥିଲା । ଏଥିପାଇଁ ଜଙ୍ଗଲରେ ୧ ହଜାର ୧୩୬ଟି ମଞ୍ଚା ନିର୍ମାଣ ହୋଇଥିଲା ।
ଏହାସହ ବାରାକ, ୱାଚ ଟାୱାରଙ୍କ ସମେତ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ଉଚ୍ଚା ସ୍ଥାନକୁ ଗଣନା କାର୍ଯ୍ୟ ସମୟରେ ବ୍ୟବହାର କରାଯାଇଥିଲା । ଗତ ମାସ ୨୨ ତାରିଖରୁ ୨୪ ତାରିଖ ଅର୍ଥାତ ତିନି ଦିନ ପର୍ଯ୍ୟନ୍ତ ହାତୀ ଗଣନା ଚାଲିଥିଲା । ରାଜ୍ୟର ହାତୀ ଧାରଣ କ୍ଷମତା ଅନୁସାରେ ରାଜ୍ୟରେ ହାତୀଙ୍କ ସଂଖ୍ୟା ଠିକ୍ ରହିଛି । ଶୀତ ଋତୁରେ ପଡ଼ୋଶୀ ରାଜ୍ୟରୁ ହାତୀ ଆସିଥିବାରୁ ସେ ସମୟରେ ରାଜ୍ୟର ହାତୀଙ୍କ ସଂଖ୍ୟା ଜାଣିବା ପାଇଁ ନଭେମ୍ୱର ୧୫ରୁ ୧୭ ଯାଏଁ ପୁଣିଥରେ ହାତୀ ଗଣନା କରାଯିବ ବୋଲି ପିସିସିଏଫ ସୁଶାନ୍ତ ନନ୍ଦ କହିଛନ୍ତି ।